ମନ୍ତ୍ରିପରିଷଦ ବୈଠକରେ ସଂକଳ୍ପ ପାରିତ

- ପାଠ୍ୟକ୍ରମରେ ସାମିଲ ହେବ ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା
- ସରକାରୀ କର୍ମଚାରୀ, ନିର୍ବାଚିତ ପ୍ରତିନିଧିଙ୍କୁ ଦିଆଯିବ ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ
- ସରକାରୀ ଚାକିରୀ ପାଇଁ ବାଧ୍ୟତାମୂଳକ ବିଷୟ ହେବ
ଭୁବନେଶ୍ୱର : ଏଣିକି ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ପ୍ରାକୃତିକ ବିପର୍ଯ୍ୟୟ ପର୍ଯ୍ୟନ୍ତ ସବୁ ବିଷୟରେ ଜ୍ଞାନ ଆହରଣ କରିବେ ଏବଂ ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ । ଏହାସହ ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାର ପରିଚାଳନା, ସରକାରୀ ଚାକିରୀ ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧି ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ ନେବେ । ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତିକ ସଂଗଠନ ଗୁଡିକୁ ମଧ୍ୟ ଏ ସଂପର୍କରେ ତାଲିମ ଦିଆଯିବ । ଶନିବାର ସଂଧ୍ୟାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଏନେଇ ଏକ ସଂକଳ୍ପ ଗୃହୀତ ହୋଇଛି । ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଓ ‘ୟାସ’ ବାତ୍ୟା କ୍ଷୟକ୍ଷତି ମଧ୍ୟରେ ବିଜେଡି ସରକାର ଆଜି ନିଜର ପଂଚମ ପାଳିର ଦ୍ୱିତୀୟ ବର୍ଷ ଶାସନ ପୂରଣ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଜନସାଧାରଣଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସଂପର୍କରେ ଉପଯୁକ୍ତ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା ପାଇଁ ଏକ ସୁବ୍ୟବସ୍ଥିତ ତଥା ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସଂକଳ୍ପ ପାରିତ କରାଯାଇଛି । ଏହା ଓଡିଶାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢିତୋଳିବା ଏବଂ ବିପର୍ଯ୍ୟୟ – ଏହା ଜୈବିକ ବା ଜଳବାୟୁ ଜନିତ – ଯାହା ବି ହେଉ, ତାର ମୁକାବିଲା ପାଇଁ ଓଡିଶା ଭବିଷ୍ୟତରେ ସବୁବେଳେ ପ୍ରସ୍ତୁତ ରହିବ । ମୁଖ୍ୟତଃ ଆମର ଲକ୍ଷ୍ୟ ହେଉଛି ଯେକୌଣସି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଓଡିଶାର ଘରେ ଘରେ ଯୋଦ୍ଧା ସୃଷ୍ଟି କରିବା ।ଏହି ମିଶନକୁ ଆଗେଇ ନେଇ ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପ୍ରତିରୋଧୀ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ଏକ ଟ୍ୟାସ୍କଫୋର୍ସ ଗଠନ କରାଯିବ । ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ହେବ ଆମର ସର୍ବ ବୃହତ ପ୍ରସ୍ତୁତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପଂଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍ନା କରିଆସୁଛୁ । ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବରେ ସ୍ୱୀକୃତ ଓଡିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି । ଅପରପକ୍ଷରେ ଏପର୍ଯ୍ୟନ୍ତ ଆମ ରାଜ୍ୟ କରୋନା ସଂକ୍ରମଣର ଦୁଇଟି ଲହର ଦ୍ୱାରା ପ୍ରଭାବିତ ହୋଇସାରିଲାଣି । ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ୱାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି । କୋଭିଡ ପରିଚାଳନାରେ ଆମକୁ ଆଗକୁ ଆହୁରି ପଥ ଅତିକ୍ରାନ୍ତ କରିବାକୁ ଅଛି । ବର୍ତମାନ ଟିକାକରଣ ଉପରେ ଫୋକସ କରିଛୁ । ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ । ଓଡିଶାର ଜନସାଧାରଣ ପଂଚମ ଥର ପାଇଁ ଆମକୁ ଆଶୀର୍ବାଦ କରି ସେବାର ସୁଯୋଗ ଦେଇଛନ୍ତି । ଲୋକଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ । ଏହି ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ୱାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏସବୁ ଆହ୍ୱାନ ସତ୍ୱେ ଆମର ଦୃଢ ବିଶ୍ୱାସ ଯେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏହି ସଂକଟର ମୁକାବିଲାରେ ଆମେ ବିଜୟୀ ହେବୁ ତଥା ଓଡିଶାର ରୂପାନ୍ତର ନିମନ୍ତେ ଆମର ଭଲ କାମକୁ ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।