କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଭାରତ ଗସ୍ତ ବାତିଲ କରିପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

Britain's Prime Minister Boris Johnson is seen at the venue for the Conservative Party annual conference in Manchester, Britain, October 1, 2019. REUTERS/Phil Noble - RC16DCD881C0
ଲଣ୍ଡନ : ଭାରତ ଗସ୍ତ ବାତିଲ କରିପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ। ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ଜନସନ ତାଙ୍କର ଗସ୍ତ ବାତିଲ କରିବାକୁ ତାଙ୍କ ଉପରେ ଚାପ ବଢିବାରେ ଲାଗିଛି। ଚଳିତ ମାସ ୨୫ ତାରିଖରେ ତାଙ୍କର ନୂଆଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଅତ୍ୟନ୍ତ ଆଗ୍ରହୀ ଥିବା ଜଣାଯାଇଛି।
ତେବେ ଦେଶର ବିରୋଧୀ ଲେବର ପାର୍ଟି ସାଂପ୍ରତିକ ସମୟରେ ତାଙ୍କର ଏହି ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି। ଏହା କହିଛି ଯେ ଜନସନ ଚାହିଁଲେ ନରେନ୍ଦ୍ର ମୋଦିଙ୍କ ସହିତ ଭର୍ଚୁଆଲ ପଦ୍ଧତିରେ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିପାରିବେ। ସରକାର ସାଧାରଣ ଜନତାଙ୍କୁ ବିଦେଶ ଭ୍ରମଣ ନକରିବା, ଏପରିକି କୋଭିଡ ସଂକ୍ରମଣ ସମୟରେ ଘରୁ ନବାହାରିବାକୁ କହୁଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ ଭାରତ ଗସ୍ତ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନ କରିଛି ଲେବର ପାର୍ଟି। ପୂର୍ବରୁ ଗତବର୍ଷ ଜାନୁଆରୀ ୨୬ରେ ଜନସନ ଭାରତର ସାଧାରଣତନ୍ତ୍ର ଦିବସରେ ଅତିଥି ହେବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେ ତାହା ବାତିଲ କରିଥିଲେ। ୨୦୧୯ ଡିସେମ୍ବରରେ ବ୍ରିଟେନରେ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୟରେ ଜନସନଙ୍କର ଏହା ୟୁରୋପ ବାହାରେ ପ୍ରଥମ ଗସ୍ତ ହେବ ବୋଲି ଜଣାଯାଇଛି।