ଦରବୃଦ୍ଧିର ପ୍ରତିବାଦରେ ଆଜି ୩୦ମିନିଟ ବିଜୁଳି ବନ୍ଦ କରି କରିବା ପାଇଁ ପିସିସି ସଭାପତିଙ୍କ ଆହ୍ୱାନ
ଭୁବନେଶ୍ୱର : କୋଭିଡ୍- ୧୯ ଭଳି ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୟନୀୟ ହୋଇପଡିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶୀକୀୟ ସାମଗ୍ରୀଗୁଡିକର ଦରବୃଦ୍ଧି କରାଯାଇ ଥିବାବେଳେ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଏହାରି ମଧ୍ୟରେ ବିଜୁଳି ଦର ବୃଦ୍ଧି ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତି ଚିନ୍ତାଜନକ ଅଟେ । ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍ବେଗଜନକ ଅଟେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଜନସାଧାରଣଙ୍କ ସ୍ୱାର୍ଥଲାଗି କଂଗ୍ରେସ ଦଳ ସଦାସର୍ବଦା କାର୍ଯ୍ୟକରି ଆସୁଛି। ସେଥିପାଇଁ ଏହି ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ରବିବାର ୩୦ ମିନିଟ୍ ପାଇଁ (ସନ୍ଧ୍ୟା ୬ଟା ୩୦ ମିନିଟ୍ରୁ ୭ ଘଟିକା ପର୍ଯ୍ୟନ୍ତ) ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଣୁ ଦଳମତ ନିର୍ବିଶେଷରେ ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତିକୁ ପ୍ରତ୍ୟାହାର ଲାଗି ଚାପ ପ୍ରୟୋଗ କରିବା ପାଇଁ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀ ଓ ଜନସାଧାରଣ ଆଜି ସଦ୍ଧ୍ୟାବେଳେ ବହୁ ସଂଖ୍ୟାରେ ମାତ୍ର ୩୦ ମି. ପାଇଁ ବିଦ୍ୟୁତ ବନ୍ଦ କରିବାକୁ ସାହାଯ୍ୟ ସହଯୋଗ କାମନା କରି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।