ଭୁବନେଶ୍ୱରରେ ପଜିଟିଭ୍ ସଂଖ୍ୟା ହଜାରେ ଟପିଲା

- ୨୪ ଘଂଟାରେ ଆଉ ୧୦୪୪ ପଜିଟିଭ୍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଂଟାରେ ଭୁବନେଶ୍ୱରରୁ ୧୦୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଟିଆ , ନୟାପଲ୍ଲୀ , ଖଣ୍ଡଗିରି , ଚନ୍ଦ୍ରଶେଖରପୁର , ପୁରୁଣା ଭୁବନେଶ୍ୱର ସମେତ ଅଧିକାଂଶ ଅଂଚଳର ସ୍ଥିତି ଚିନ୍ତାଜନକ ରହିଛି । ଏହିସବୁ ଅଂଚଳରୁ ଗତ କିଛି ଦିନ ଧରି ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଆଜି ଚିହ୍ନଟ ୧୦୪୪ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୧୯ ଓ ସ୍ଥାନୀୟ ଅଚଂଳରୁ ୮୨୫ ସଂକ୍ରମିତ ଅଛନ୍ତି । ୨୪ ଘଂଟାରେ ୪୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪୪୫ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୩୫୬୭୪କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୬୪୯୩ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୫୭ ରହିଛି । ଲୋକାଲ କେସ୍ ମଧ୍ୟରୁ ପଟିଆରୁ ସର୍ବାଧିକ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ନୟାପଲ୍ଲୀରୁ ୪୯ ଜଣ ରହିଥିବା ବେଳେ ଖଣ୍ଡଗିରିରୁ ୪୭, ଚନ୍ଦ୍ରଶେଖରପୁର ୪୨, ଓଲ୍ଡ ଟାଉନ୍ ରୁ ୩୯, ଶୈଳଶ୍ରୀବିହାରରୁ ୨୭, ସୁନ୍ଦରପଦାରୁ ୨୫ , ରସୁଲଗଡରୁ ୨୪ , ବରମୁଣ୍ଡାରୁ ୨୪, ମେଂଚଶ୍ୱରରୁ ୨୪, ଟଙ୍କପାଣିରୋଡ୍ ରୁ ୨୩ , ଲକ୍ଷ୍ମୀସାଗରରୁ ୧୮, ବିଜେବି ନଗରରୁ ୧୭, ଡୁମଡୁମାରୁ ୧୬, ବଡଗଡ, ଜାଗମରା, ସହୀଦନଗର , ୟୁନିଟ୍ ୬, ପୋଖରିପୁଟରୁ ୧୫ ଜଣ ଲେଖାଏଁ, ୟୁନିଟ ୮ରୁ ୧୪ , ପାତ୍ରପଡା, ନିଳାଦ୍ରୀବିହାର ଓ ଝାରପଡାରୁ ୧୩ ଜଣ ଲେଖାଏଁ, ଜୟଦେବ ବିହାରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କ୍ୱାରେଂଟାଇନ୍ ମାମଲା ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୧୪, ପଟିଆରୁ ୧୨, ଲକ୍ଷ୍ମୀସାଗରରୁ ୧୨, ନୟାପଲ୍ଲୀରୁ ୧୦, ଜାଗମରାରୁ ୯ଜଣ ରହିଛନ୍ତି ।