୪ ମାସ ପାଇଁ ନିଟ୍ ପିଜି ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍ ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅତି କମ୍ରେ ୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥର କରୋନା ଡ୍ୟୁଟିରେ ନିୟୋଜିତ ହେବେ ମେଡ଼ିକାଲ୍ ଛାତ୍ରଛାତ୍ରୀ। ଏମ୍ବିବିଏସ୍ ଅନ୍ତିମ ବର୍ଷର ଛାତ୍ରଛାତ୍ରୀ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବେ। ନିୟୋଜିତ ଡାକ୍ତରୀ ଛାତ୍ରଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ମିଳିବ। ବିଏସ୍ସି ଓ ଜିଏନ୍ଏମ୍ ଛାତ୍ରୀଙ୍କୁ କୋଭିଡ୍ ନର୍ସିଂ ଡ୍ୟୁଟିରେ ସାମିଲ କରାଯିବ। ଶହେଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ। କୋଭିଡ୍ ଜାତୀୟ ସେବା ସମ୍ମାନରେ ସମ୍ମାନିତ କରାଯିବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି ଅନୁଯାୟୀ, ଏମବିବିଏସ୍ ଶେଷ ବର୍ଷର ଛାତ୍ର-ଛାତ୍ରୀଙ୍କୁ ହାଲୁକା କରୋନା ଲକ୍ଷଣରେ ପୀଡିତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ କରାଯିବ। ବିଏସସି ନର୍ସିଂ/ଜିଏନଏମ ଛାତ୍ର-ଛାତ୍ରୀଙ୍କୁ ସିନିୟର ଡାକ୍ତରଙ୍କୁ ସାହାଯ୍ୟ କରିବା ପାଇଁ ଫୁଲ୍ ଟାଇମ୍ ଡ୍ୟୁଟିରେ ଲଗାଯିବ। ଏଥିସହ ଯେଉଁ ସ୍ଵାସ୍ଥ୍ୟ କର୍ମଚାରୀ କୋଭିଡ୍-୧୯ ଡ୍ୟୁଟିରେ ୧୦୦ ଦିନ ପୂରଣ କରିଛନ୍ତି, ସେମାନଙ୍କୁ ସରକାରୀ ଚାକିରି ନିଯୁକ୍ତିରେ ପ୍ରାଥମିକତା ଦିଆଯିବ। ଏଥିସହ ମେଡିକାଲ ଇଣ୍ଟର୍ଣ୍ଣ କରୁଥିବା ଡାକ୍ତରଙ୍କୁ ମଧ୍ୟ କୋଭିଡ୍ ମ୍ୟାନେଜମେଣ୍ଟରେ ବରିଷ୍ଠ ଡାକ୍ତରଙ୍କ ସହାୟତାରେ ନିୟୋଜିତ କରାଯିବ। ୧୦୦ ଦିନ କରୋନା ଡ୍ୟୁଟି ପୂରଣ କରିଥିବା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ କୋଭିଡ୍ ରାଷ୍ଟ୍ରୀୟ ସେବା ସମ୍ମାନରେ ସମ୍ମାନିତ କରାଯିବ।