ଘରୋଇ କଳିରୁ ପୁଅ ବୋହୁଙ୍କ ମାଡ ଖାଇ ମା ମୃତ
କନ୍ଧମାଳ : ପୁଅକୁ ଜନମ କରିଥିଲା ବୁଢି କାଳରେ ପୋଷିବ ଆଉ ସେବା କରିବ ଟିକିଏ ବୋଲି । ନିଜେ ନ ଖାଇ ପୁଅକୁ ବଡ କରିଥିଲା ମା’ । ଆଉ ପୁଅକୁ ବିବାହ କରି ବୋହୁ ମଧ୍ୟ ଘରକୁ ଆଣିଲା । ବୋହୁ ରାନ୍ଧି କି ଗଣ୍ଡେ ଖାଇବାକୁ ଦେବ ବୋଲି । ହେଲେ ଶେଷରେ ସେହି ପୁଅ ଆଉବୋହୁର ମାଡରେ ମାର ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗ ବାଡି ଥାନା ଅନ୍ତର୍ଗତ ପାଙ୍ଗାଲିଗ୍ରାମ ରେ । ମୃତକ ଜଣଙ୍କ ହେଲେ ପାଡ଼େନ କେତା ଗ୍ରାମର ପୁଷ୍ପାଞ୍ଜଳୀ ପରିଚ୍ଛା ବୋଲି ଜଣାପଡିଛି ।ସୂଚନାଯୋଗ୍ୟ ଯେ,ପୁଷ୍ପାଞ୍ଜଳି ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗ ଦେବାପାଇଁ ‘ ପାଙ୍ଗାଲି ଗ୍ରାମ ରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କ ପୁଅ ବୋହୁ ମଧ୍ୟ ଥିଲେ । ହେଲେ ସେଠାରେ କୌଣସି କାରଣ ବଶତଃ ସେମାନଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ପୁଅ ବୋହୂ ମିଶି ମା ପୁଷ୍ପାଞ୍ଜଳିକୁ ମାଡ଼ମାରିଥିଲେ ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପୁଷ୍ପାଞ୍ଜଳିଙ୍କ ସ୍ୱାମୀ ଦାରିଙ୍ଗବାଡିଥାନାରେ ଏହି ସଂକ୍ରାନ୍ତରେ ଏକ ଏତଲା ଦେଇଥିଲେ । ଏତଲା ପାଇ ଦାରିଙ୍ଗ ବାଡି ପୋଲିସ ଘଟଣାସ୍ଥଳରେ ପହଂଚିି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।ଅଭିଯୁକ୍ତ ପୁଅ ବୋହୁ ଗିରଫ ଭୟରେ ଫେରାର ଥିବା ଜଣାପଡ଼ିଛି ।