ଜୁନ ୩ରେ କେରଳ ଛୁଇଁବ ମୌସୁମୀ!

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ୩ଜୁନ ବେଳକୁ କେରଳ ଛୁଇଁବା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତମାନର ପାଣିପାଗ ସ୍ଥିତି ଅନୁଯାୟୀ ୧ଜୁନ ପରଠାରୁ କେରଳ ଉପରେ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ବାୟୁ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ୧ଜୁନ ପରଠାରୁ କେରଳ ଉପରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ପାଣିପାଗ ବିଭାଗ ମୌସୁମୀକୁ ନେଇ ବଡ ସୂଚନା ଦେଇଛି। ପ୍ରଥମେ ପୂର୍ବାନୁମାନ କରାଯାଇଥିଲା ଯେ, ଚଳିତ ଥର ମୌସୁମୀ ଆଗୁଆ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମେ ୩୧ରେ କେରଳ ଛୁଇଁବ। ହେଲେ କେରଳରେ ମୌସୁମୀ ଆଗମନ ଦୁଇ ଦିନ ବିଳମ୍ବ ଘଟିବାର ସମ୍ଭାବନା ରହିଛି। ଜୁନ ୩ ସୁଦ୍ଧା ରାଜ୍ୟରେ ମୌସୁମୀ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବିଭାଗ ଅନୁଯାୟୀ, ଜୁନ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପାଗ ଭିଡିବା ଆରମ୍ଭ ହୋଇଯିବ। ଏହାରି ପ୍ରଭାବରେ ରାଜ୍ୟ ମେଘାଚ୍ଛନ ରହିପାରେ। ଧିରେ ଧିରେ ବର୍ଷା ବଢିବା ସହ କେରଳରେ ଜୁନ ୩ ସୁଦ୍ଧା ମୌସୁମୀ ପହଞ୍ଚିବାର ଆଶା କରାଯାଉଛି ବୋଲି ପାଣିପାଗ ବିଭାଗ କହିଛି। ସ୍କାଇମେଟ୍ ତରଫରୁ ମେ ୩୦ରେ କେରଳ ମୌସୁମୀ ପହଞ୍ଚିବାର ପୂର୍ବାନୁମାନ କରାଯାଇଥିଲା। ସ୍କାଇମେଟ୍ ଅନୁଯାୟୀ, ମୌସୁମୀ ସାଧାରଣ ଗତିଠୁ ଆଗକୁ ବଢୁଛି। ଆଣ୍ଡାମାନ-ନିକୋବର ଦ୍ଵୀପ ପୁଞ୍ଜରେ ମେ ୨୧ରେ ପ୍ରବେଶ କରିବା ପରେ ମୌସୁମୀ କ୍ରମାଗତ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି। ପାଣିପାଗ ବିଭାଗ ଅନୁସାରେ, ଚଳିତ ଥର ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ଵାଭାବିକ ରହିବାର ସମ୍ଭାବନା ରହିଛି। ୮୬.୨ ସେମି ବର୍ଷା ହେବାର ଆଶା କରାଯାଉଛି। ମେ ୩୧ ରେ ମୌସୁମୀ କେରଳ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଥିଲା।