ଅନାଥ ଶିଶୁଙ୍କ ଯତ୍ନ ନିମନ୍ତେ ମାସିକ ୫ହଜାର ଓ ମାଗଣା ଶିକ୍ଷା ଦେବେ ମଧ୍ୟପ୍ରଦେଶ ସରକାର

ଭୋପାଳ: କରୋନା ମହାମାରୀ ଯୋଗୁଁ ପିତାମାତା କିମ୍ବା ନିଜ ଅଭିଭାବକଙ୍କୁ ହରାଇ ଅନାଥ ହୋଇପଡିଥିବା ଶିଶୁଙ୍କ ଯତ୍ନ ନିମନ୍ତେ ମଧ୍ୟପ୍ରଦେଶ ସରକାର ସହଯୋଗର ହାତ ବଢାଇଛନ୍ତି। ସରକାରଙ୍କ ଯୋଜନା ଅନୁଯାୟୀ କୋଭିଡ-୧୯ ଜନିତ ଅନାଥ ଶିଶୁଙ୍କୁ ରାଜ୍ୟ ସରକାର ମାଗଣା ଶିକ୍ଷା ସୁବିଧା ଯୋଗାଇ ଦେବେ। ଏହା ସହିତ ଏହି ବର୍ଗର ଶିଶୁଙ୍କୁ ମାସିକ ୫୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଅନାଥ ଶିଶୁମାନେ ରାଜ୍ୟର ଶିଶୁ; ତେଣୁ ରାଜ୍ୟ ସେମାନଙ୍କ ଦାୟିତ୍ବ ବହନ କରିବ। ସେହିପରି ଯେଉଁମାନଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇଥିବେ ସେହି ମହିଳାଙ୍କୁ ବ୍ୟବସାୟ ଲାଗି ରାଜ୍ୟ ସରକାର ଋଣ ଯୋଗାଇ ଦେବେ ବୋଲି ଶ୍ରୀ ଚୌହାନ ଘୋଷଣା କରିଛନ୍ତି।