ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର : ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ୨୦୨୧ ବିଧାନସଭାରେ ପାରିତ ହୋଇଛି । ଓଡ଼ିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟ ମାନେ ଓଡ଼ିଶା ସମେତ ସମଗ୍ର ଦେଶରେ ନିଯୁକ୍ତି ନ ପାଇବାର ବ୍ୟବସ୍ଥା ଥିଲା । ସଂଶୋଧନ ଅନୁସାରେ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ । ମାତ୍ର ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇ ପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଏହି ବିଲ୍ ଉପସ୍ଥାପନ କରିଥିଲେ । ପରେ ଏହା ପାରିତ ହୋଇଥିଲା ।
ସୂଚନା ଯେ, ଗତ ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ ଧାର୍ଯ୍ୟ ସମୟର ୫ ଟି କାର୍ଯ୍ୟ ଦିବସ ପୂର୍ବରୁ ଶନିବାର ଦିନ ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସଂଧ୍ୟା ୭ଟାରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଏପ୍ରିଲ ୯ ତାରିଖରେ ଗୃହର କାର୍ଯ୍ୟକ୍ରମ ଶେଷ ହେବାକୁଥିବା ବେଳେ ଏହାକୁ ହ୍ରାସ କରିବାପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିଥିଲେ । ଗୃହ ଶେଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବାଚସ୍ପତି , କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ସ୍ୱସ୍ତିବାଚକ ଅଭିଭାଷଣ ପ୍ରଦାନ କରିଥିଲେ । ତେବେ ବିଜେପି ସଦସ୍ୟମାଦେ ଏହି ସମୟରେ ଅନୁପସ୍ଥିତ ଥିଲେ ।
କୋଭିଡ୍ କଟକଣା ମଧ୍ୟରେ ୨ ଟି ପର୍ଯ୍ୟାୟରେ ଏହି ଅଧିବେଶନର ବୈଠକ ଚାଲିଥିଲା । ବୈଠକ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି , ଉପବାଚସ୍ପତି ଓ ଅଧିଷ୍ଠାତା ମଣ୍ଡଳୀର ସଦସ୍ୟମାନେ ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ଫଳରେ କିଛି ଦିନ ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଚାଲିପାରିନଥିଲା । ଏପରିକି ସରକାରୀ ବିଭାଗର ଖର୍ଚ୍ଚ ଦାବି ଗୁଡିକ ଆଲୋଚନା ହୋଇନପାରି ଗିଲୋଟିନ୍ ଦ୍ୱାରା ପାରିତ ହୋଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ୧୪ ଦିନ ଧରି ୨୨ ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବା ନେଇ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଥିଲେ ହେଁ ମାତ୍ର ୮ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା । ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥବା ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ସମେତ ମୋଟ ୩୫ ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ରେ ପାରିତ ହୋଇଥିଲା । ଉଭୟ ବିରୋଧୀ ଦଳ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଲତବୀ ପ୍ରସ୍ତାବ ନୋଟିସ୍ ମାନ ଦେଇଥିଲେ ହେଁ ଅଚଳାବସ୍ଥାପାଇଁ ସେଗୁଡିକ ମଧ୍ୟ ଆଲୋଚନା ହୋଇପାରିନଥିଲା । କହିବାକୁ ଗଲେ ଗୋଟିଏ ଗୋଟିଏ ଦିନରେ ପ୍ରଥମାର୍ଦ୍ଧ ବୈଠକ ୨ ରୁ ୩ ମିନିଟ୍ ଚାଲିପାରିଥିଲା । ଏହି ଅଧିବେଶନରେ ଦୃଷ୍ଟି ଆକର୍ଷଣକାରୀ ନୋଟିସ୍ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇନଥିଲା ବେଳେ ଶୂନ୍ୟକାଳ ମଧ୍ୟ ହୋଇପାରିନଥିଲା ।