ସରିଲା କୁମ୍ଭମେଳା
- ବନ୍ଦ ଘୋଷଣା କଲେ ଜୁନା ଅଖାଡାର ସ୍ଵାମୀ ଅବଧେଶାନନ୍ଦ
ହରିଦ୍ଵାର : ଦେଶରେ କରୋନା ସଂକ୍ରମଣ ଉଦ୍ବେଗଜନକ ଭାବେ ବଢିବାରେ ଲାଗିଛି। ଏହି କଠିନ ସମୟରେ ହରିଦ୍ଵାରର କୁମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ପରେ ଶନିବାର ସନ୍ଧ୍ୟାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ସ୍ଵାମୀ ଅବଧେଶାନନ୍ଦ ଗିରି ଜୁନା ଅଖଡା ତରଫରୁ କୁମ୍ଭ ସମାପନ ଘୋଷଣା କରିଛନ୍ତି। ଅବଧେଶାନନ୍ଦ ଗିରି ଟ୍ଵିଟ୍ କରି କହିଛନ୍ତି, ଭାରତର ଜନତା ଓ ସେମାନଙ୍କର ଜୀବନ ରକ୍ଷା ଆମର ପ୍ରଥମ ପ୍ରାଥମିକତା। କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଆମେ ବିଦ୍ଧିବଧ କୁମ୍ଭର ସମସ୍ତ ଦେବତାଙ୍କ ବିସର୍ଜନ କରି ଦେଇଛୁ।
ଏହା ପୂର୍ବରୁ ମୋଟ୍ ୧୩ ଅଖାଡା ମଧ୍ୟରୁ ନିରଞ୍ଜନୀ ଅଖାଡା ଓ ଆନନ୍ଦ ଅଖାଡା କୁମ୍ଭ ମେଳା ବନ୍ଦ ରଖିବାକୁ ଘୋଷଣା କରି ସାରିଛନ୍ତି। ଦୁଇ ଅଖଡା ଏପ୍ରିଲ ୧୭ରୁ କୁମ୍ଭ ମେଳା ବନ୍ଦ ଘୋଷଣା କରିଛନ୍ତି। ବିଜେପିର ନେତାମାନେ ଅନ୍ୟ ଅଖଡାର ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଇବା ପ୍ରୟାସ ଜାରି ରଖିଛନ୍ତି ଯେ, ସେମାନେ ସ୍ଵତଃପ୍ରବୃତ ଶାହି ସ୍ନାନ ସ୍ଥଗିତ କରି କୁମ୍ଭ ସମାପ୍ତି ଘୋଷଣା କରନ୍ତୁହରିଦ୍ଵାରର ଭିନ୍ନ ଭିନ୍ନ ଅଖାଡାର ଅନେକ ସାଧୁ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଖାଡା ପରିଷଦର ସଭାପତି ଓ ନିରଞ୍ଜନୀ ଅଖାଡାର ମହନ୍ତ ନରେନ୍ଦ୍ର ଗିରି ମଧ୍ୟ ସାମିଲ। ମଧ୍ୟ ପ୍ରଦେଶରୁ ଆସିଥିବା ନିର୍ବାଣୀ ଅଖାଡାର ମହାମଣ୍ଡଳେଶ୍ଵର କପିଲ ଦେବଙ୍କ କରୋନା କାରଣରୁ ଏପ୍ରିଲ ୧୩ରେ ମୃତ୍ୟୁ ଘଟି ସାରିଛି।
କୋଭିଡ୍-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଭାରତକୁ ବିଜୟୀ କରିବା ଲାଗି ସହଯୋଗ କରିବା ନିମନ୍ତେ କୁମ୍ଭମେଳାକୁ ‘ପ୍ରତୀକାତ୍ମକ’ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଧୁସନ୍ଥଙ୍କୁ ନିବେଦନ କରିଥିଲେ। ହିନ୍ଦୀରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରିଜୀଙ୍କ ସଂଗେ ଆଜି ଫୋନ୍ରେ କଥାବାର୍ତ୍ତା କରିଛି। ସବୁ ସନ୍ଥମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେଲି । ସମସ୍ତ ସନ୍ଥ ପ୍ରଶାସନକୁ ସବୁ ପ୍ରକାରର ସହଯୋଗ କରୁଛନ୍ତି। ଏଥିନିମନ୍ତେ ମୁଁ ସନ୍ଥମାନଙ୍କ ପ୍ରତି କୃତଜ୍ଞ।ମୋର ବିନୀତ ନିବେଦନ ଦୁଇଟି ଶାହୀ ସ୍ନାନ ସମାପନ ହୋଇସାରିଛି। କରୋନା ସଙ୍କଟ ଚାଲିଥିବାରୁ ଏଥର କୁମ୍ଭକୁ ପ୍ରତୀକାତ୍ମକ ହିଁ ରଖାଯାଉ। ଏହାଦ୍ୱାରା ଏହି ସଙ୍କଟ ସହ ଲଢ଼ିବା ପାଇଁ ଶକ୍ତି ମିଳିବ।