୧୯ରେ ସଚିବାଳୟ ସମ୍ମୁଖରେ ଧାରଣା ଦିଆଯିବ : ସୁର ରାଉତରାୟ
- ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗ
ଭୁବନେଶ୍ୱର : ଜଟଣୀରେ ସ୍ଥିତିବାନ ଜମିକୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିବା ମାମଲାରେ ପୁଣି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ । କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଯଦି ମଇ ମାସ ୧୯ ତାରିଖ ସୁଦ୍ଧା ସରକାର ଜଟଣୀବାସୀଙ୍କୁ ତାଙ୍କ ପୈତୃକ ଜମି ଫେରାଇ ନଦିଅନ୍ତି, ତେବେ ସଚିବାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଧାରଣା ଦିଆଯିବ । ଯାହାର ପରିଣତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ।
ସେ କହିଛନ୍ତି ଯେ ୨୦୧୨ ମସିହା ଠାରୁ ଦୀର୍ଘ ୯ବର୍ଷ ଧରି ନିଜ ଭିଟାମାଟି, ଘରଡିହ ଓ ଜମିବାଡ଼ି ନିଜ ନାମକୁ ଫେରାଇ ଆଣିବା ପାଇଁ ଆମେ ଜଟଣୀ ନିବାସୀ ସଂଘର୍ଷ କରୁଛୁ । ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦ କରି ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ନିବାସୀ ନବୀନ ନିବାସ ସମ୍ମୁଖରେ ଗଣଆତ୍ମାହୁତି ଦେବା ପାଇଁ ନିଷ୍ପତି ନେଇଥିଲେ । ମାତ୍ର ସରକାର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ‘ଜଟଣୀ ସ୍ଥିତିବାନ ଏକରାଜ ମାହାଲ ନାଗରିକ ମଂଚ’ ପକ୍ଷରୁ ଗଣଆହ୍ମାହୁତି ନିଷ୍ପତି ପ୍ରତ୍ୟାହାର କରି ନିଆଯାଇଥିଲା । ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଏହି ମଂଚ ଗତ ଫେବୃଆରୀ ୧ରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରାଜସ୍ୱ ସଚିବ, ଅତିରିକ୍ତ ରାଜସ୍ୱ ସଚିବ, ଆଇନ ସଚିବଙ୍କ ସହିତ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚ୍ଚିବଙ୍କ ନିର୍ଦ୍ଦେଶକ୍ରମେ ଏହାର ଅନୁଧ୍ୟାନ କରି କାର୍ଯ୍ୟସଂପନ୍ନ ପାଇଁ ନିର୍ଦ୍ଦିଷ୍ଟ ଭାବେ କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ସଂପୂର୍ଣ୍ଣଭାବେ ଦାୟିତ୍ୱ ଦିଆଯାଇଛି ବୋଲି କୁହାଯାଇଛି । ଖୁବଶୀଘ୍ର ଅସଲ ଜମିମାଲିକଙ୍କ ନାମକୁ ଜମିର ମାଲିକାନା ସତ୍ୱ ପରିବର୍ତନ କରାଯିବ ବୋଲି ସଚିବମାନେ ଏହି ମଂଚକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ଦୁଇମାସ ବିତି ଯାଇଥିଲେ ମଧ୍ୟ ସରକାର ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଏ ପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତି ନେଇପାରି ନଥିବାରୁ ଶ୍ରୀ ରାଉତରାୟ କ୍ଷୋଭ ପ୍ରକାଶ କରିବା ସହ ଆଉ ୧ ମାସ ସମୟ ଦେଇଛନ୍ତି । ମଇ ୧୯ ସୁଦ୍ଧା ରାଜ୍ୟ ସରକାର ଯଦି ଜଟଣୀବାସୀଙ୍କୁ ନ୍ୟାୟ ନଦିଅନ୍ତି, ତେବେ କ୍ଷତିଗ୍ରସ୍ତ ଜଟଣୀବାସୀ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରବାକୁ ବାଧ୍ୟ ହେବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, କୋଇଲି ସୁବୁଦ୍ଧି, ଚିନ୍ମୟ ସୁନ୍ଦର ଦାସ, ସଂଗ୍ରାମ ରାଉତରାୟ, ଅଶୋକ ମଙ୍ଗରାଜ, ବିବି ବଡଜେନା ଓ ବାବୁଲି କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।