ଗ୍ୟାସ ଲିକ୍ରୁ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲା ନାବାଳକ

ସୋନପୁର : ସୋନପୁର ଜିଲ୍ଲା ବିନିକା ଥାନା ଶଙ୍କରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ୟାସ ଲିକ୍ରୁ ଅଗ୍ନିକାଣ୍ଡ ଘଟି ଜିଅନ୍ତା ଜଳିଗଲା ୯ ବର୍ଷର ନାବାଳକ । ମୃତ ହେଲେ ଶଙ୍କରା ଗାଁର ଟିକେଲାଲ ଗୁଦୁରିଆଙ୍କ ୯ ବର୍ଷୀୟ ପୁତ୍ର ବାବୁସାନ ଗୁଦୁରିଆ । ଘରେ ରୋଷେଇ କରିବା ପାଇଁ ପରିବାର ଲୋକେ ଗ୍ୟାସ୍ ଟାଙ୍କି ଅନ କରିଥିବା ସମୟରେ ହଠାତ ଗ୍ୟାସ ଟାଙ୍କିରୁ ନିଆଁ ଲାଗିଯାଇଥିଲା । ତେବେ ନାବାଳକଟି ସେଠି ଛିଡା ହୋଇଥିବାବେଳେ ଜିଅନ୍ତା ଜଳିଯାଇଥିଲା । ଏନେଇ ପରିବାର ତଥା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀମାନେ ଅଗ୍ନିଶମବାହାନୀକୁ ଫୋନ୍ କରି ଜଣାଇଥିଲେ । ପରେ ସଙ୍ଗେ ସଙ୍ଗେ ଅଗ୍ନିଶମବାହାନୀ ଆସି ନିଆଁକୁ ଆୟତ କରିଛି ।
ସୁଚନା ଯେ, ରବିବାର ସକାଳ ପ୍ରାୟ ୬ଟା ବେଳେ ବାପା ଟିକେଲାଲ ଗ୍ୟାସ୍ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍ ସିଲିଣ୍ଡରରେ ହଠାତ୍ ଗ୍ୟାସ୍ ଲିକ୍ ହୋଇ ଘରସାରା ନିଆଁ ଲାଗିଯାଇଥିଲା । ପରିବାର ଲୋକେ ନାବାଳକକୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ବାଟରେ ତାର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ପରେ ଡାକ୍ତର ମୃତଦେହ ବ୍ୟବଚ୍ଛେଦ ନକରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକେ ଗାଁ ମଶାଣୀରେ ଶବ ସତ୍କାର କରିବାକୁ ଯିବା ସମୟରେ ପୋଲିସ ଆସି ସେମାନଙ୍କୁ ବାଧା ଦେଇଥିଲେ । ଏହାସହ ବ୍ୟବଛେଦ ପାଇଁ ପୁଣି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।