ସରିଲା ନିର୍ବାଚନ, ଏକ୍ସିଜଟ୍ ପୋଲ୍ ପ୍ରକାଶ

- ପଶ୍ଚିମବଙ୍ଗରେ ପୁଣି ମମତା
- ଆସାମ- ପୁଡୁଚେରୀ ଭାଜପା କବ୍ଜାରେ
- କେରଳରେ ଏଲ୍ଡିଏଫ୍
- ତାମିଲ୍ନାଡୁ ଡିଏମ୍କେ ମେଂଟ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସରିଥିବା ବେଳେ ୫ଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଗୁରୁବାର ସମାପ୍ତ ହୋଇଛି । ଫଳରେ ବିଭିନ୍ନ ସଂଗଠନ ପକ୍ଷରୁ ବୁଥ୍ ବାହୁଡା ମତ ବା ଏକ୍ସିଜଟ୍ ପୋଲ୍ ପ୍ରକାଶ ପାଇଛି । ଆସାମରେ ମ୍ୟାଜିକ୍ ନମ୍ବର ପାଇଁ ହୋଇପାରେ ମହାଲଢେଇ । ଏବିପି ଓ ସି ଭୋଟର ସର୍ଭେ ମୁତାବକ ଆସାମରେ ହୋଇପାରେ କଡା ଟକ୍କର । ବିଜେପିକୁ ମିଳିପାରେ ୫୮ରୁ ୭୧ଟି ଆସନ ଓ କଂଗ୍ରେସ ଖାତାକୁ ଯାଇପାରେ ୫୩ରୁ ୬୬ ଆସନ । ତେଣୁ ଏହି ଆସନରେ କଡା ଟକ୍କର ଦେଖିବାକୁ ମିଳିବ । କିଏ ଜିତିବ ଆସାମ କେବଳ ଦୁଇତାରିଖ ଭୋଟ୍ ଗଣତିକୁ ଅପେକ୍ଷା କରାଯାଉଛି । ସେପଟେ ବୁଥ୍ବାହୁଡା ମତରେ ଆସାମରେ ବିଜେପି ଓ ତାର ସହଯୋଗୀ ଦଳକୁ ବଡ ବିଜୟ ମିଳିପାରେ ବୋଲି ଇଣ୍ଡିଆଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ସର୍ଭେ କରିଛି । ବିଜେପି ୭୫ରୁ ୮୫ ଓ କଂଗ୍ରେସ ୪୦ରୁ ୫୦ ଆସନ ପାଇପାରେ । ସେହିପରି ଟିଭି-୯ଭାରତ ବର୍ଷର ସର୍ଭେ ମୁତାବକ ବିଜେପି ୫୯ରୁ ୬୯ଟି ସିଟ୍ ହାତେଇ ପାରେ । କଂଗ୍ରେସ ୫୫ରୁ ୬୫ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଛି । ତେବେ ଏଠାରେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଯଦି ରିପବ୍ଲିକ୍-ସିଏନ୍କ୍ସର ରିପୋର୍ଟକୁ ପର୍ଯ୍ୟାଲୋଚନା କରାଯାଏ ତେବେ ବିଜେପିର ବଡ ବିଜୟ ହୋଇପାରେ । ବିଜେପି ଏଠାରେ ୭୪ରୁ ୮୪ ସିଟ୍ ପାଉଥିବା ବେଳେ କଂଗ୍ରେସ ୪୦ରୁ ୫୦ ସିଟ୍ ପାଇବ ବୋଲି କୁହାଯାଉଛି । ସେହିପରି ପଶ୍ଚିମବଙ୍ଗରେ ମମତା ଏଥର ହ୍ୟାଟ୍ରିକ୍ ମାରିବେ ବୋଲି ଆଶା କରାଯାଉଛି । ତୃଣମୂଳ କଂଗ୍ରେସ ୧୫୨ରୁ ୧୬୪ଟି ସିଟ୍ ହାତେଇପାରେ ବୋଲି ଏବିପି ଓ ସି ଭୋଟର ସର୍ଭେ କହିଛି । କଂଗ୍ରେସକୁ ୧୪ରୁ ୨୫ଟି ସିଟ୍ ମିଳିପାରେ । ବିଜେପି ଖାତାକୁ ୧୦୯ରୁ ୧୨୧ ଆସନ ଆସିପାରେ ବୋଲି କୁହାଯାଉଛି । ରିପବ୍ଲିକ୍-ସିଏନ୍ଏକ୍ସରେ କୁହାଯାଇଛିକି ବିଜେପି ଓ ଟିଏମ୍ସି ମଧ୍ୟରେ କଡା ଟକ୍କର ହେବ । କାରଣ ସର୍ଭେରେ ଟିଏମ୍ସି ୧୨୬ରୁ ୧୩୬ ସିଟ୍ ଏବଂ ବିଜେପି ୧୩୮ରୁ ୧୪୮ ସିଟ୍ ହାତେଇ ଆଗୁହା ରହିବ ବୋଲି କୁହାଯାଇଛି । ତେବେ କଂଗ୍ରେସ ୬ରୁ ୯ଟି ସିଟ୍ ପାଇପାରେ । ସେପଟେ ଟାଇମ୍ସନାଓ-ସିଭୋଟର ସର୍ଭେରେ ଟିଏମ୍ସି ପୁଣି ସରକାର ଗଢ଼ିପାରେ ବୋଲି ଦର୍ଶାଯାଇଛି । ସର୍ଭେ ମୁତାବକ ମମତାଙ୍କ ଦଳ ୧୫୮ ଓ ଭାଜପା ୧୧୫ ଓ କଂଗ୍ରେସ ୧୯ଟି ସିଟ୍ ହାତେଇବ ବୋଲି କୁହଯାଇଛି । ତେବେ କହିବାକୁ ଗଲେ ଏକ୍ଜିଟ୍ ପୋଲ୍ ଟିଏମ୍ସି ସପକ୍ଷରେ ରହିଛି । ଯଦି ମମତା କ୍ଷମତାକୁ ଫେରନ୍ତି ତେବେ ସେ ହ୍ୟାଟ୍ରିକ୍ କରିବେ । ସେପଟେ ତାମିଲ୍ ନାଡୁର ୨୩୪ ବିଜେପି-ଏଆଇଡିଏମ୍କେ ମେଂଟ ୭୪ରୁ ୮୪, କଂଗ୍ରେସ-ଡିଏମ୍କେ ୪୦ରୁ ୫୦ ଏବଂ ଅନ୍ୟାନ୍ୟ ଦଳ ୧ରୁ ୩ ଆସନ ପାଇବେ ବୋଲି ସିଏନ୍ଏକ୍ସ ଭବିଷ୍ୟବାଣୀ କରିଛି । ସେହିପରି ଟୁଡେଜ୍ ଚାଣକ୍ୟ ତାମିଲ ନାଡୁରେ ଏଆଇଡିଏମ୍କେ- ବିଜେପି ମେଂଟ ୪୬ରୁ ୬୮, ଡିଏମ୍କେ ଓ କଂଗ୍ରେସ ମେଂଟ ୧୬୪ରୁ ୧୮୬ ଆସନ ଏବଂ ଅନ୍ୟାନ୍ୟ ଦଳ ତଥା ନିର୍ଦ୍ଦଳୀୟ ୦ରୁ ୬ଟି ଆସନ ପାଇବେ ବୋଲି କୁହାଯାଇଛି । ପୁଡୁଚେରୀର ୩୦ଟି ବିଧାନସଭା ଆସନରେ ଭାଜପା ୬୧ରୁ ୭୯ କଂଗ୍ରେସ ୪୭ରୁ ୬୫ ଏବଂ ଅନ୍ୟାନ୍ୟ ଦଳ ୦ରୁ ୩ଟି ଆସନ ପାଇବେ ବୋଲି ଟୁଡେଜ୍ ଚାଣକ୍ୟ ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି ।