ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ : ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା । କଟକଣା ଲଗାଇଲେ ନିର୍ବାଚନ କମିଶନ । ମେ ୨ ଗଣତି ଦିନ କିମ୍ବା ପରେ କୌଣସି ବିଜୟ ଶୋଭାଯାତ୍ରା ନକରିବାକୁ ସେ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ । ମେ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର ହେବ ଭୋଟ ଗଣତି । ଫଳାଫଳ ଆସିବା ପରେ ବିଜୟୀ ପ୍ରାର୍ଥୀ ଓ ଦଳୀୟ ନେତାମାନେ ବିଜୟ ଶୋଭାଯାତ୍ରା କଲେ ବହୁ ସଂଖ୍ୟାରେ ସମର୍ଥକ ଓ କର୍ମୀ ଏକାଠି ହେବାର ସମ୍ଭାବନା ଅଧିକ ଅଛି । ଲୋକେ ଅଧିକ ସଂଖ୍ୟାରେ ଏକତ୍ର ହେଲେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବା ପାଇଁ ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କରିଥିଲେ ମାଡ୍ରାସ ହାଇକୋର୍ଟ ।
ସୂଚନା ଯେ, ଗତ ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇ ଏପ୍ରିଲ ୧୯ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଧାର୍ଯ୍ୟ କରାଯାଇଥିଲା। ସେହିପରି ଦେଶରେ ଦିନକରେ ୩ଲକ୍ଷ ୨୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭ରେ ପହଞ୍ଚିଛି। ସେହିପରି ଦିନକରେ ୨ ହଜାର ୭୭୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୯୭ହଜାର ୮୯୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗତ ୨୪ ଘଣ୍ଟାରେ ୨ଲକ୍ଷ ୫୧ ହଜାର ୮୨୭ଜଣ ସୁସ୍ଥ ହୋଇଛନ୍ତି। ମୋଟରେ ୧କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ଦେଶରେ ୨୮ ଲକ୍ଷ ୮୨ ହଜାର ୨୦୪ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।