ବାଲେଶ୍ୱର : ଦୈନିକ ୧କୋଟି ଟିକାକରଣ ଦାବିରେ ଜିଲା କଂଗ୍ରେସ ତରଫରୁ ସ୍ମାରକପତ୍ର ପ୍ରଦାନ

ବାଲେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ନେତୃତ୍ୱରେ ଦୈନିକ ୧କୋଟି ଦେୟମୁକ୍ତ ଟିକାକରଣ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି l ଏହି ଦାବିପତ୍ରରେ ଟୀକାକରଣ ନୀତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ମୋଟ ଜନସଂଖ୍ୟାର ମାତ୍ର ୩.୧୭ % ଲୋକଙ୍କୁ ଟୀକାକରଣ କରିବା ମୋଦୀ ସରକାରଙ୍କୁ ଖାମଖିଆଲି ମନୋଭାବ ଦର୍ଶାଉଛି ବୋଲି ଦଳ ତରଫରୁ ଉଲ୍ଲେଖ କରାଯାଇଛି l
ଟିକାର ଦାମ କେନ୍ଦ୍ର ସରକାରଙ୍କ ପାଇଁ ଅଲଗା, ରାଜ୍ୟ ଏବଂ ବେସରକାରୀ ହସ୍ପିଟାଲ ପାଇଁ ମଧ୍ୟ ଅଲଗା ରହିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି l କେନ୍ଦ୍ର ସରକାର ମାଗଣାରେ ଟୀକା ପ୍ରଦାନ କରିବା ପରିବର୍ତ୍ତେ ଟୀକାକୁ ବ୍ୟବସାୟରେ ପରିଣତ କରିଛନ୍ତି l ଏପର୍ଯ୍ୟନ୍ତ ସାରାଦେଶରେ ଯେଉଁ ହାରରେ ଟୀକାକରଣ ହେଉଛି ଯଦି ସେହି ହାରରେ ଜାରି ରହେ ତେବେ ସମ୍ପୂର୍ଣ୍ଣ ଦେଶକୁ ଟୀକାକରଣ କରିବା ପାଇଁ ୩ ବର୍ଷ ଲାଗିଯିବ ବୋଲି କଂଗ୍ରେସ କହିଛି l ଯାହାଦ୍ୱାରା ଏହି ୩ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ କରୋନା କବଳିତ କରିବାର ଏବଂ ଅନେକ ଜୀବନ ନେବାର ସମ୍ଭାବନା ରହୁଛି l ତେଣୁ କେନ୍ଦ୍ର ସରକାର ଅବିଳମ୍ବେ ଟିକା କିଣି ଦେୟ ମୁକ୍ତରେ ରାଜ୍ୟ ଏବଂ ବେସରକାରୀ ହସ୍ପିଟାଲକୁ ଯୋଗାଇଦେଲେ ଜନସାଧାରଣ ଉପକୃତ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି l ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଏହା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ଦାବିପତ୍ର ଦେବା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୋଭିଡ ସଂଯୋଜିକା ଅର୍ଚନା ନନ୍ଦୀ, ସଦର ବିଧାୟିକା ପ୍ରାର୍ଥୀନୀ ମମତା କୁଣ୍ଡୁ, ଯୁବ କଂଗ୍ରେସ ସଭାପତି ରଂଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଜଳେଶ୍ୱର ବ୍ଲକ କଂଗ୍ରେସ ସଭାପତି ରାଜୀବ ଲୋଚନ ପରିଡା, ରାଧାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l