ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

- ଜନ୍ମସ୍ଥାନରେ ପ୍ରତିଷ୍ଠା ହେବ ମ୍ୟୁଜିଅମ୍ ଓ ଲାଇବ୍ରେରୀ
ଭୁବନେଶ୍ୱର : ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ “ମନୋଜ ଦାସ ଆନ୍ତର୍ଜତୀୟ ସାହିତ୍ୟ ପୁରସ୍କାର” ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକମାନଙ୍କୁ ଏହି ପୁରସ୍କାର ଓଡିଶା ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଦିଆଯିବ । ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯୁବପୀଢି ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ପ୍ରଦାନ କରାଯିବ । ଏଥିନିମନ୍ତେ ଉଭୟ ଓଡିଶା ଓ ଇଂରାଜୀ ଭାଷାରେ ଗୋଟିଏ ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
ସେହିପରି ମନୋଜ ବାସଙ୍କ ପରିବାର ସଦସ୍ୟମାନଙ୍କ ପ୍ରସ୍ତାବକ୍ରମେ ରାଜ୍ୟ ସରକାର ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଥିବା ତାଙ୍କ ପୈତୃକ ବାସଭବନକୁ ହାତକୁ ନେବେ ଏବଂ ତାହାକୁ ପ୍ରଥିତଯଶା ଭାତୃଦ୍ୱୟ ପ୍ରଫେସର ମନ୍ମଥ ଦାସ ଓ ମନୋଜ ଦାସ ଦୁଇ ଭାଇଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ । ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କଦ୍ୱାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ । ବାସଭବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ । ଏହା ବ୍ୟତୀତ ସ୍ୱର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିକ କୋଣାର୍କ ପ୍ରତିକାର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ ।