କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ ଏବେ ଧୀରେ ଧୀରେ ବଢିବାରେ ଲାଗିଛି । ଯାହାକୁ ନେଇ ଆକ୍ସନ ମୋଡ଼କୁ ଆସିଛନ୍ତି ସରକାର । ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସି ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହି ବୈଠକରେ ସମସ୍ତ ଜିଲ୍ଲାପାଳ ମାନେ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସୀମାନ୍ତ ବର୍ତ୍ତି ଅଞ୍ଚଳ ସମେତ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ନିଆଯାଇପାରେ ବୋଲି ଜଣାପଡିଛି ।
ଏବେ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏଭଳିସ୍ଥଳେ ରାଜ୍ୟରେ କରୋନା ଚେନକୁ ଭାଙ୍ଗିବାକୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କରାଯାଇଥିବା ବେଳେ କଟକଣାକୁ କଡ଼ାକଡ଼ି କରାଯାଇଛି। କିଛି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ବଡ଼ ସମାବେଶ ଉପରେ କଟକଣା ଲଗାଯାଇଛି।