ଟିଟିଲାଗଡରେ ରେଲ୍ ଓଭରବ୍ରିଜର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
୧୦୪୨ ମିଟରର ଆରଓବି ପାଇଁ ବିନିଯୋଗ ହୋଇଛି ୭୧.୫୯ କୋଟି ଟଙ୍କା
ଟିଟିଲାଗଡ ସହରର ସମନ୍ୱିତ ବିକାଶ ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଜଙ୍କସନ୍ । ଓଭରବ୍ରିଜ ନିର୍ମାଣ ହେବା ଦ୍ୱାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବ । ଟିଟିଲାଗଡ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଂଚଳର ଜନସାଧାରଣ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟିଟିଲାଗଡ ସହରର ବ୍ୟାପକ ଉନ୍ନତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଆରଓବି ସହିତ ଟିଟିଲାଗଡରେ ଆଧୁନିକ ବସ୍ଷ୍ଟାଣ୍ଡ, ସୁଇମିଂ ପୁଲ୍, ମହାରାଜା ସାଗରର ପୁନରୁଦ୍ଧାର, ବର୍ଜ୍ୟ ଜଳ ବିଶୋଧନ ପ୍ଲାଂଟ ଏବଂ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି । ଏହିସବୁ ଗୁଡିକ ଠିକ୍ ସମୟରେ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଭିତିଭୂମି ବିକାଶର ଆଧାର ବୋଲି ମତପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଭିତିଭୂମିର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡିଶା ଆଜି ଭିତିଭୂମି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜ୍ୟରେ ସଡକ, ସେତୁ, ବନ୍ଦର ଆଦି ଭିତିଭୂମିର ବିକାଶ ଯୋଗୁ ଯୋଗାଯୋଗ କ୍ଷେତ୍ରରେ ବହୁତ ଉନ୍ନତି ଆସିଛି । ଭିତିଭୂମି ସମସ୍ତଙ୍କର ସଂପତି ବୋଲି ପ୍ରକାଶ କରି, ସମସ୍ତେ ଏହାର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । କରୋନାର ଦ୍ୱିତୀୟ ଲହରୀକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ବିକାଶ ପାଇଁ ଗମନାଗମନ ବ୍ୟବସ୍ଥାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ସଡକ ବିକାଶ କାର୍ଯ୍ୟକ୍ରମରେ ଅନେକ ଉନ୍ନତି ଆସିଛି ବୋଲି ସେ କହିଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ରେଲ ଓଭରବ୍ରିଜ ସହିତ ଟିଟିଲାଗଡ ପାଇଁ ଚାଲିଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ କହିଥିଲେ ଯେ ଏହାଦ୍ୱାରା ଟିଟିଲାଗଡ ଜନସାଧାରଣଙ୍କର ଏକ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା । ପଶ୍ଚିମ ଓଡିଶାରେ ହେଉଥିବା ବିକାଶ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଗ୍ଦକ୍ଟଲଗ୍ଧ ମକ୍ଟକ୍ସଦ୍ଭରକ୍ସ ରହିଛି । ଏହାସହିତ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରିଥିବାରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆଜି ଟିଟିଲାଗଡର ସବୁ ଲୋକଙ୍କ ପାଇଁ ବହୁତ ଆନନ୍ଦର ଦିନ । କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ କରାଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆରକେ. ଶର୍ମା, ପୂର୍ତ ବିଭାଗ ସଚିବ କିଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଟିଟିଲାଗଡ ସବ୍ କଲେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ।