ଏମ୍କେସିଜିରେ ତରଳ ମେଡ଼ିକାଲ୍ ଅକ୍ସିଜେନ୍ ପ୍ଲାଂଟ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

- ଅକ୍ସିଜେନ୍ ପରିଚାଳନା ପାଇଁ ଟାସ୍କଫୋର୍ସ ଗଠିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଏକ ତରଳ ମେଡିକାଲ ଅକ୍ସିଜେନ୍ ପ୍ଲାଂଟ ଉତ୍ସର୍ଗ କରିଛନ୍ତି । ଏହା ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ବିଶେଷ କରି ଗଞ୍ଜାମର ଆବଶ୍ୟକତା ପୂରଣ କରୁଥିବା ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଅକ୍ସିଜେନ୍ ସିଲିଣ୍ଡର ଅଭାବକୁ ଦୂର କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସରକାର ସବୁମତେ ପଦକ୍ଷେପ ନେଉଛନ୍ତି ବୋଲି ପ୍ରତିଶ୍ରୁତି ଦେବା ସହିତ ଅମ୍ଳଜାନ ଯୋଗାଣ ପରିଚାଳନାକୁ ପ୍ରତି ଘଂଟାରେ ତଦାରଖ କରାଯାଉଛି ବୋଲି କହିଛନ୍ତି । ସେ ପୁନଶ୍ଚ କହିଛନ୍ତି ଯେ ଅକ୍ସିଜେନ୍ ସିଲିଣ୍ଡର କ୍ରୟ, ଅମ୍ଳଜାନ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା, ତରଳ ମେଡିକାଲ ଅମ୍ଳଜାନ ପାଇଁ କଂଟେନର ବିନିଯୋଗ ମାଧ୍ୟମରେ ରାଜ୍ୟ ଅମ୍ଳଜାନ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରୁଛି । ଭବିଷ୍ୟତର ଅକ୍ସିଜେନ ଆବଶ୍ୟକତା ଓ ପରିଚାଳନାକୁ ଦୃଷ୍ଟିରେ ରଖି ଏକ ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମହାମାରୀ ବିରୋଧରେ ହେଉଥିବା ଲଢ଼େଇରେ ସହଯୋଗ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ସହିତ ସମ୍ମିଳିତ ଭାବରେ ଆମେ ସମସ୍ତେ ଏହି ଭୂତାଣୁକୁ ଦମନ କରିପାରିବା ଓ ଖୁବଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ଫେରିପାରିବା ବୋଲି ଆଶା ପ୍ରକଟ କରିଛନ୍ତି । ମହାମାରୀକୁ ରୋକିବାରେ ଗଞ୍ଜାମବାସୀଙ୍କ ଗୋଷ୍ଠୀ ସଂପୃକ୍ତି ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନବକିଶୋର ଦାସ, ସାଂସଦ, ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍ ବାଳକ୍ରିଷ୍ଣନ୍, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ର ବରିଷ୍ଠ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଗଞ୍ଜାମ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ବ୍ରହ୍ମପୁର ମହାନଗର ନିଗମର କମିଶନର ଧନ୍ୟବାଦ ଅର୍ପଣ କରିଥିଲେ ।