ସିବିଆଇ ପକ୍ଷରୁ ଅନିଲ ଦେଶମୁଖଙ୍କ ବିରୋଧରେ ଏତଲା ରୁଜୁ
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏତଲା ରୁଜୁ କରିଛି। ଦେଶମୁଖଙ୍କ ବ୍ୟତୀତ ଅନେକ ଅଜ୍ଞାତ ଲୋକଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ କମିଶନର ପରମବୀର ସିଂହଙ୍କ ଅଭିଯୋଗ ମାମଲାରେ ଏହି ଏତଲା ରୁଜୁ ହୋଇଛି। ଏହା ସହିତ ସିବିଆଇ ଦେଶମୁଖଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଦେଶମୁଖ ମୁମ୍ବାଇ ପୋଲିସର ପୂର୍ବତନ କର୍ମଚାରୀ ସଚିନ ୱାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ପରମବୀର ସିଂହ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି।
ଏହା ପୂର୍ବରୁ ସିବିଆଇ ତଦନ୍ତ ସମୟରେ ଅନିଲ ଦେଶମୁଖଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ଦେଶମୁଖଙ୍କ ଦୁଇ ଜଣ ବ୍ୟକ୍ତିଗତ ସହାୟକଙ୍କ ସମେତ ଅଭିଯୋଗକାରୀ ପରମବୀର ସିଂହଙ୍କର ବି ବୟାନ ରେକର୍ଡ କରିଥିଲା। ସେପଟେ ଏନଆଇଏ ଦ୍ୱାରା ଗିରଫ ହୋଇଥିବା ସଚିନ ୱାଜେଙ୍କୁ ବି ସିବିଆଇ ପଚରାଉଚରା କରିଥିଲା। ସଚିନ ୱାଜେଙ୍କୁ ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ଅଭିଯୋଗରେ ଏନଆଇଏ ଗିରଫ କରିଥିଲା।