ବ୍ଲାକ ଫଙ୍ଗସ୍ ବ୍ୟାପିବାର କାରଣ ଅପରିଷ୍କାର ମାସ୍କ

ନୂଆଦିଲ୍ଲୀ : ଦେଶରେ ହଇଚଇ ସୃଷ୍ଟି କରିଛି କରୋନାର ଦ୍ଵିତୀୟ ଲହରୀ। ଦେଶରେ କରୋନା ଗ୍ରାଫ୍ ଏବେ ତଳକୁ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏଭଳି ସଙ୍କଟ ସମୟରେ ବ୍ଲାକ ଫଙ୍ଗସ୍ ଆଉ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ମ୍ୟୁକୋର ମାୟକୋସିସ୍ ଅର୍ଥାତ୍ ବ୍ଲାକ ଫଙ୍ଗସ୍ କାରଣରୁ ବହୁ ଲୋକ ଦୃଷ୍ଟି ଶକ୍ତି ହରାଉଛନ୍ତି। ଏପରିକି ଲୋକମାନଙ୍କ ଜୀବନ ଚାଲି ଯାଉଛି। ଦେଶରେ ଏବେ ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀ ବଢୁଥିବା କାରଣରୁ କେତେକ ରାଜ୍ୟ ଏହାକୁ ମହାମାରୀ ଘୋଷଣା କରିଛନ୍ତି। ତେବେ ବ୍ଲାକ ଫଙ୍ଗସ୍ ମାମଲା ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ ଏକ ବଡ଼ କାରଣ ଖୋଜିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ମାସ୍କରେ ଆଦ୍ରତା ଥିବା କାରଣରୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ ବୃଦ୍ଧି ପାଉଛି।
ଅପରିଷ୍କାର ମାସ୍କ କାରଣରୁ ଆଖିକୁ ସଂକ୍ରମଣ କରୁଛି ବ୍ଲାକ ଫଙ୍ଗସ୍- ବହୁ ଦିନ ଯାଏଁ ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କରିବା ଦ୍ଵାରା ବ୍ଲାକ ଫଙ୍ଗସ୍ ହୋଇଥାଏ ବୋଲି ବରିଷ୍ଠ ଆଖି ରୋଗ ବିଶେଷଜ୍ଞ ଡକ୍ଟର ଏସ.ଏସ. ଲାଲ କହିଛନ୍ତି। ମାସ୍କରେ ଜମା ହୋଇଥିବା ଅପରିଷ୍କାର କଣିକାରୁ ଆଖି ଫଙ୍ଗସ୍ ସଂକ୍ରମଣର ଶିକାର ହୋଇଥାଏ। ଏତଦ୍ ବ୍ୟତୀତ ମାସ୍କରେ ଆଦ୍ରତା ଥିବା କାରଣରୁ ମଧ୍ୟ ବ୍ଲାକ ଫଙ୍ଗସ୍ ବ୍ୟାପି ଥାଏ। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି। ଅକ୍ସିଜେନ ଷ୍ଟେରଏଡ ମଧ୍ୟ ଦାୟୀ- କରୋନା ରୋଗୀଙ୍କ ଚିକିତ୍ସା ସମୟରେ ଦୀର୍ଘ ଦିନ ଧରି ଅକ୍ସିଜେନ ଦେବା କାରଣରୁ ଫଙ୍ଗସ୍ ସଂକ୍ରମଣ ହୋଇଥାଏ। କାରଣ ଏହି ସମୟରେ କରୋନା ରୋଗୀଙ୍କୁ ଷ୍ଟେରଏଡର ହାଇ ଡୋଜ୍ ଦିଆଯାଏ। ଏହା ଦ୍ଵାରା ରୋଗୀର ସୁଗାର ବୃଦ୍ଧି ପାଇ ସଂକ୍ରମଣ ହେବାର ସମ୍ଭାବନା ଥାଏ। ଆଖି ନାଲି ପଡିବା ହେଉଛି ପ୍ରାରମ୍ଭିକ ଲକ୍ଷଣ- ଆଖି ନାଲି ପଡିବା, ଆଖିରୁ ପାଣି ନିଗିଡିବା ହେଉଛି ବ୍ଲାକ ଫଙ୍ଗସ୍ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ। ଏହାପରେ ଆଖିରେ ଧୀରେ ଧୀରେ କଷ୍ଟ ଅନୁଭବ ହୁଏ ଏବଂ ଦୃଷ୍ଟିଶକ୍ତି ଚାଲିଯାଏ। ତେବେ ଏହି ଫଙ୍ଗସ୍ ସଂକ୍ରମଣର ଆରମ୍ଭ ନାକରୁ ହୋଇଥାଏ। ଏହାଦ୍ଵାରା ନାକରୁ ବ୍ରାଉନ କିମ୍ବା ନାଲି ରଙ୍ଗର ମ୍ୟୁକସ୍ ବାହାରିଥାଏ। ଏହାପରେ ଫଙ୍ଗସ୍ ଆଖି ଓ ପରେ ବ୍ରେନ୍ କୁ ସଂକ୍ରମିତ କରିଥାଏ। ଧୀରେ ଧୀରେ ଏହା ନର୍ଭସ୍ ସିଷ୍ଟମକୁ ସଂକ୍ରମିତ କରି ରୋଗୀର ଜୀବନ ନେଇଯାଏ। ବର୍ଷା ଦିନେ ସଂକ୍ରମଣ ଆଶଙ୍କା ଅଧିକ- ବର୍ଷା ଦିନେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରତିଦିନ ମାସ୍କକୁ ଡେଟଲରେ ଧୋଇ ଖରାରେ ଶୁଖାଇ ଏହାକୁ ପ୍ରେସ୍ କରି ପିନ୍ଧନ୍ତୁ। ଧ୍ୟାନ ରଖନ୍ତୁ ମାସ୍କକୁ ଅନ୍ୟ କପଡ଼ା ସହ ଧୁଅନ୍ତୁ ନାହିଁ।