କରୋନା ଲକ୍ଷଣ ଥିବା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରିବ ବିଏମସି
- ଟିକା ପାଇଁ ଘରୁ ଆଣିବା ଛାଡିବା ବ୍ୟବସ୍ଥା କରାଯିବ
- ସୁଦୃଢ଼ ହୋଇଛି ୧୯୨୯ କଲ୍ ସେଣ୍ଟର, ଯୋଡା ଯାଇଛି ୨୫ ଟି ଲାଇନ ସହ ଆଉ ୫ଟି ଲାଇନ
ଭୁବନେଶ୍ୱର : କରୋନା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଭୁବନେଶ୍ୱର ଅଂଚଳରେ ସଂକ୍ରମିତ ହୋଇଥିବା ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପୁଲ ସଂଗ୍ରହ କରାଯିବ । ଲକ୍ଷଣ ଥିବା ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ନିଜର ନାଁ ଏବଂ ଘର ଠିକଣା ଦେବେ । ଏହା ପରେ ଘରକୁ ଭ୍ୟାନ୍ ସେମାନଙ୍କର ନମୂନା ସଂଗ୍ରହ କରି ଆଣିବ । ସୋମବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଏମସି କମିଶନର ସଂଜୟ ସିଂ ସୂଚନା ଦେଇଛନ୍ତି । ସେହିପରି ଟିକା ପାଇଁ ସମସ୍ୟାରେ ପଡୁଥିବା ବରିଷ୍ଠ ନାଗରିକଙ୍କୁ ଏଣିକି ଘରୁ ଆଣି ଟିକାକରଣ କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଛାଡ଼ିବ ବିଏସି । ଘରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କୁ ଏଥିପାଇଁ ୧୯୨୯ ନମ୍ବରରେ ଫୋନ୍ କରିବାକୁ ହେବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି ।
ବିଏମ୍ସି କମିଶନର କହିଛନ୍ତି ଯେ, କରୋନା ଲଢ଼େଇରେ ପ୍ରଶାସନକୁ ଜନସାଧାରଣ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି । ଲକଡାଉନ ଓ ସଟଡାଉନକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଯିବା ନାହିଁ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା । ବାହାରୁ ଫେରିଲେ ହାତ ଧୋଇବା । କୋଭିଡ ଲକ୍ଷଣ ଦେଖାଗଲେ ବିଏମ୍ସି କଲ ସେଂଟର ସହ ଯୋଗାଯୋଗ କରିପାରିବେ । ଭୁବନେଶ୍ୱରରେ ଏବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା ଚାଲିଛି । ଭୁବନେଶ୍ୱରରେ ବେଡ ସଂଖ୍ୟା ବଢ଼ାଇବାକୁ ଆମେ ନଜର ରଖିଛୁ । ମେଡିକାଲ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରାଯାଉଛି ।