ଅଧାରେ ଅଟକିଗଲା ଆମ୍ବୁଲାନ୍ସ, ଖଟିଆରେ ହେଲା ପ୍ରସବ
କେନ୍ଦୁଝର : ଗାଁକୁ ରାସ୍ତା ନଥିବାରୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିବା ବେଳେ ରାସ୍ତାରେ ସେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଜନନୀ ଯନ୍ତ୍ରଣାର ଏଭଳି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଜଜାଙ୍ଗ ପଂଚାୟତ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ । ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ସମୟରେ ଯିଦ୍ଧି ଓରାମ ନାମକ ଜଣେ ମହିଳା ପ୍ରସବ ଯନ୍ତ୍ରଣ ଅନୁଭବ କରିଥିଲେ । ତାଙ୍କ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର । ପାଣ୍ଡିଆ ଗ୍ରାମକୁ ରାସ୍ତା ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଦେଢ଼ କିଲୋମିଟର ଦୂରରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ କର୍ମଚାରୀମାନେ ବିଳମ୍ବ ନକରି ଗାଁ ଭିତରକୁ ଯାଇଥିଲେ । ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣୁଥିଲେ । ହେଲେ ଆମ୍ବୁଲାନ୍ସ ନିକଟକୁ ପହଂଚିବା ପୂର୍ବରୁ ମହିଳା ଜଣଙ୍କ ବାଟରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଉଭୟ ମା’ ଓ ନବଜାତ ଶିଶୁଙ୍କୁ କମାରଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।