କନ୍ଧମାଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ୫-ଟି ସଚିବ
ମେଡ଼ିକାଲ କଲେଜର ଅଗ୍ରଗତି ନେଇ କଲେ ସମୀକ୍ଷା
କନ୍ଧମାଳ : ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପୂର୍ବାହ୍ନ ୧୧ଟା ସମୟରେ ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ଗୁଡ଼ାରୀ ସ୍ଥିତ ଏରୋଡ଼୍ରମ୍ ପଡ଼ିଆରେ ଓହ୍ଲାଇଥିଲେ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସହରାଚଂଳ ଉନ୍ନୟନ ବିକାଶ କମିଶନର ଡଃ. କ୍ରିଷନ କୁମାର ଓ ଅନ୍ୟାନ୍ୟ ରାଜ୍ୟ ସ୍ତରିୟ ପଦାଧିକାରୀ ମାନେ ପହଂଚି ଥିଲେ । କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏରୋଡ଼୍ରମ୍ ପଡ଼ିଆରେ ଏହି ବରିଷ୍ଠ ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଜିଲ୍ଲାରେ ୫-ଟି ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ଗୁଡିକ କିଭଳି ଚାଲିଛି ଓ ତାହାର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଂଚୁଛି କି ନାହିଁ ତାହାର ତଦାରଖ କରିଥିଲେ । ଦିନ ୧୨ ଟାରେ ଫୁଲବାଣୀ ନିକଟସ୍ଥ କଲାଡ଼ି ନିକଟରେ ପ୍ରତିଷ୍ଠା ହେବାକୁ ଥିବା କନ୍ଧମାଳ ମେଡିକାଲ କଲେଜ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ବୁଲି ଦେଖିବା ସହ ସେଠାରେ ଥିବା ସୁବିଧା ଓ ଅସୁବିଧା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ । ମେଡ଼ିକାଲ କଲେଜର ନମୂନା ଦେଖିଥିଲେ ।
ସେହିପରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ସ୍ମାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୁଲବାଣୀ ସହରର ସର୍ବପୁରାତନ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ବୁଲି ଦେଖିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆଲୁମିନି କମିଟି ସହ ଆଲୋଚନା କରିଥିଲେ । ସଦସ୍ୟ ମାନେ କୋଭିଡ଼୍ ଗାଇଡ଼୍ ଲାଇନ୍ ମାନି ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଡି ଓ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।