ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଲମ୍ବୁଛି ଭାରତର ପଦକ ତାଲିକା : ପଞ୍ଚମ ଦିନରେ ମିଳିଲା ୪ ପଦକ
ମୋଟ ପଦକ ସଂଖ୍ୟା ୧୩କୁ ବୃଦ୍ଧି
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ପଞ୍ଚମ ଦିନରେ ମଙ୍ଗଳବାର ଭାରତକୁ ୪ ପଦକ ମିଳିଛି । ଏଥିରେ ୨ ସ୍ବର୍ଣ୍ଣ ଏବଂ ୨ ରୌପ୍ୟ ପଦକ ସାମିଲ ରହିଛି । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୩ କାଂସ୍ୟ ପଦକ ସାମିଲ ରହିଛି। ଭାରତୀୟ ମହିଳା ଲନ୍ ବଲ୍ ଦଳ ପ୍ରଥମ ଥର ସ୍ବର୍ଣ୍ଣ ଜିତି ଐତିହାସିକ ସଫଳତା ପାଇଥିଲା ବେଳେ ପୁରୁଷ ଟିଟି ଦଳ ତୃତୀୟ ଥର ସ୍ବର୍ଣ୍ଣ ପଦକ ଜିତିଛି। ପୁରୁଷ ଭାରୋତ୍ତୋଳନରେ ବିକାଶ ଠାକୁର ଏବଂ ମିଶ୍ରିତ ବ୍ୟାଡ୍ମିଣ୍ଟନ୍ ଦଳ ରୌପ୍ୟ ପଦକ ଜିତିଛନ୍ତି।
ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଲନ ବଲ୍ସ ଟିମ ଜିତିଛି ଐତିହାସିକ ସ୍ବର୍ଣ୍ଣ ପଦକ। ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ଏହି ପଦକ ଜିତିବାରେ ଗୌରବ ଅର୍ଜନ କରିଛି। ୯୨ ବର୍ଷର କ୍ରୀଡା ଇତିହାସରେ ମହିଳା ଦଳ ଏଭଳି ସଫଳତା ପାଇନଥିବାବେଳେ ୨୦୨୨ରେ ଏକାଥରକେ ସ୍ବର୍ଣ୍ଣ ପଦକ ପାଇବା ଭାରତ ପାଇଁ ଗୌରବ। ଏହି ଐତିହାସିକ ପଦକ ହାସଲ ପରେ ପ୍ରଧାନମନ୍ତ୍ରୀ ମହିଳା ଲାନ ବଲ୍ସ ଦଳକୁ ପ୍ରଶଂସା କରିଛନ୍ତି।
ସେହିପରି ପୁରୁଷ ଟେବୁଲ ଟେନିସ ଟିମ୍ ଇଭେଣ୍ଟ ଫାଇନାଲରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ଦଳ । ସ୍ୱର୍ଣ୍ଣ ଲଢ଼େଇର ପ୍ରଥମ ଟାଇରେ ହରମିତ ଦେଶାଇ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର ୟୋଙ୍ଗ ଇଜାକ କ୍ୟୁ ଓ ୱା ପାଙ୍ଗଙ୍କୁ ହରାଇଥିଲେ। ତେବେ ଦ୍ୱିତୀୟ ଟାଇରେ ଅଭିଜ୍ଞ ଶରତ କମଲ ୩-୧ ସେଟରେ ହାରି ଯାଇଥିଲେ। ଫଳରେ ସ୍ଥିତି ୧-୧ରେ ବରାବର ହୋଇ ଯାଇଥିଲେ। ଏହାପରେ ସାଥିୟାନ ନିଜର ଏକକ ବର୍ଗରେ ଦମଦାର ପ୍ରଦର୍ଶନ କରି ୩-୧ରେ ଟାଇକୁ ଜିତି ପୁଣି ଭାରତକୁ ଆଗୁଆ କରି ଦେଇଥିଲେ। ୪ର୍ଥ ଟାଇରେ ଦେଶାଇଙ୍କ ମୁକାବିଲା ଶରତ କମଲଙ୍କୁ ହରାଇଥିବା ଝେ ଚେୱିଙ୍କ ସହ ହୋଇଥିଲା। କିନ୍ତୁ ଦେଶାଇ ନିଜର ଜଲୱା ଦେଖାଇ ତାଙ୍କୁ ୩-୦ରେ ପରାସ୍ତ କରି ଦେଇଥିଲେ। ଏଥିସହ ଆଉ ଗୋଟିଏ ଟାଇ ପୂର୍ବରୁ ହିଁ ଭାରତୀୟ ଟିମ୍ ସ୍ୱର୍ଣ୍ଣ ପଦକୁ କବଜା କରି ନେଇଥିଲା। ଏହାକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏଥିରେ ୫ ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।
ଭାରୋତ୍ତଳନରେ ୯୬ କିଲୋଗ୍ରାମ ବର୍ଗରେ ଭାରତର ବିକାଶ ଠାକୁର ରୌପ୍ୟ ହାସଲ କରିଛନ୍ତି । ସ୍ନାଚରେ ୧୫୫ କେଜି ଓ କ୍ଲିନ ଏବଂ ଜେର୍କରେ ୧୯୯ କେଜି ଏଭଳି ୩୪୬ କେଜି ଉଠାଇ ବିକାଶ ଏହି ଐତିହାସିକ ପଦକ ହାସଲ କରିଛନ୍ତି। ବ୍ୟକ୍ତିଗତ ଭାବେ ବିକାଶଙ୍କ ଏହା ରାଜ୍ୟଗୋଷ୍ଠୀ କ୍ରୀଡାରେ ୩ୟ ପଦକ। ୨୦୧୪ରେ ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସେ ରୌପ୍ୟ ଓ ୨୦୧୮ରେ ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରଡାରେ ବ୍ରୋଞ୍ଜ ପଦକ ପାଇଥିଲେ।