ଆଜି ବନ୍ଦ ରହିବ ତାରିଣୀ ମନ୍ଦିର ! ଭକ୍ତଙ୍କ ପାଇଁ ଦିନଟିଏ ଉପାସ ରହିବେ ମା’
କେନ୍ଦୁଝର : ଆଜି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମା’ ତାରିଣୀ ମନ୍ଦିର । ସକାଳ ୬ଟାରୁ ସଂଧ୍ୟା ସଢ଼େ ୬ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ଆଷାଢ଼ୀ ପର୍ବ ପାଇଁ ମା’ ତାରିଣୀଙ୍କ ଦର୍ଶନ ବନ୍ଦ ରଖିବାକ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ସମୟରେ ଶ୍ରଦ୍ଧାଳୁ ମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ।
ଆଜି ଗୁରୁବାର ଘଟଗାଁ ମା’ ତାରିଣୀଙ୍କ ଆଷାଢୀ ପର୍ବ ପାଳନ କରାଯିବ । ଏଥିପାଇଁ ଗତ ସୋମବାର ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଏନେଇ ବ୍ୟାପକ ଆଲୋଚନା କରାଯାଇ ମା’ଙ୍କ ଏହି ପର୍ବ କିପରି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ଏଥିପାଇଁ ବିଚାର ବିମର୍ଶ କରାଯାଇଥିଲା । ୨୨ଖଣ୍ଡ ମୌଜାର ଗ୍ରାମ ମୁଖ୍ୟ ଓ ଗ୍ରାମଦେବତୀଙ୍କ ପୂଜକମାନଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି । ସନ୍ଧ୍ୟାରେ ମନ୍ଦିର ଖୋଲିବା ପରେ ସେମାନେ ସମସ୍ତେ ମା’ଙ୍କ ଆଷାଢୀ ପୂଜା ପାଇଁ ଭୋଗ ଡାଲା ଓ ବୋଜା ଧରି ଭିତରକୁ ଯାଇ ଏହି ପୂଜା କରିବେ । ଏହି ପୂଜା କାହିିଁ କେତେ କାଳରୁ ପ୍ରଚଳିତ ହୋଇ ଆସୁଛି । ଏହି ପୂଜାକୁ ନେଇ ସ୍ଥାନୀୟ ଲୋକଙ୍କ ବହୁ ଆସ୍ଥା ଓ ବିଶ୍ୱାସ ରହିଛି ।
ପରମ୍ପରା ଅନୁଯାୟୀ ସେଦିନ ସକାଳୁ ସନ୍ଧ୍ୟା ଯାଏ ମନ୍ଦିର ବନ୍ଦ ରହିବ । କୌଣସି ପୂଜାନୀତି ହେବ ନାହିଁ । ଏହି ବନ୍ଦ ସମୟରେ ମା’ ତାରିଣୀ ବର୍ଷରେ ଗୋଟିଏ ଦିନ ଉପବାସ ରହି ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ରହି ପ୍ରଜାମାନଙ୍କ ମଙ୍ଗଳ କାମନା କରିଥାନ୍ତି । କେହି କେହି ଏହାକୁ କୃଷି ଓ କୃଷକମାନଙ୍କ ଶୁଭକାମନା କରି କିପରି ଭଲ ଚାଷ ହେବ ସେଥିପାଇଁ ମା’ ତାରିଣୀ ଉପବାସରେ ରହୁଥିବା କହିଥାନ୍ତି । ଏହି ପର୍ବରେ ଆଉ ଏକ ବିଶେଷତ୍ୱ ହେଲା ନିଶା ପୂଜା । ଯାହାକୁ ବିଳମ୍ବିତ ରାତିରେ କେବଳ ବରିଷ୍ଠ ପୂଜକମାନଙ୍କ ଦ୍ୱାରା କରାଯାଇଥାଏ । ସେଦିନ ସକାଳୁ ବରିଷ୍ଠ ପୂଜକମାନେ ଉପବାସ ରହି ରାତିରେ ଏହି ପୂଜା କରିବାପରେ ପ୍ରସାଦ ପାଇଥାନ୍ତି । ଦିନତମାମ ମନ୍ଦିର ବନ୍ଦ ପରେ ସନ୍ଧ୍ୟା ୭ଟାରେ ପହଡ଼ ଖୋଲିବା ମାତ୍ରେ ଭିଡ଼ ଜମିଥାଏ । ମା’ଙ୍କ ଆଷାଢୀ ପୂଜା ଓ ସୁନାବେଶ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମନ୍ଦିର ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ରୁଦ୍ର ନାରାୟଣ ମହାନ୍ତ, ପ୍ରମୋଦ କୁମାର ଦେହୁରୀ, ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହା” ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୀବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ବରିଷ୍ଠ ପୂଜକ ଶ୍ୟାମସୂନ୍ଦର ଦେହୁରୀ, ଦୋଳଗୋବିନ୍ଦ ଦେହୁରୀ ଓ ନଟବର ଦେହୁରୀଙ୍କ ସହ ଆଲୋଚନା କରାଯାଇଥିଲା ।