କ୍ରିକେଟ୍ର ସମସ୍ତ ଫର୍ମାଟରୁ ଅବସର ନେଲେ ସୁରେଶ ରାଇନା
ନୂଆଦିଲ୍ଲୀ : କ୍ରିକେଟ୍ର ସମସ୍ତ ଫର୍ମାଟରୁ ଅବସର ନେଲେ କ୍ରିକେଟର୍ ସୁରେଶ ରାଇନା। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ସୁରେଶ ରୈନା । ଆଉ ଆଜି ଆଇପିଏଲରୁ ଅବସର ନେଇ ଘୋଷଣା କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନା । ଏହା ସହ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ନେଇଛନ୍ତି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରୈନା ।
ଟ୍ବିଟ କରି ରୈନା କହିଛନ୍ତି ଯେ, ”ମୋ ଦେଶ ଓ ରାଜ୍ୟ ଉତ୍ତରପ୍ରଦେଶ ପାଇଁ କ୍ରିକେଟ ଖେଳିବା ମୋ ପାଇଁ ସମ୍ମାନର ବିଷୟ । ମୁଁ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରୁଛି । ମୋତେ ସମର୍ଥନ ଓ ବିଶ୍ବାସ କରିଥିବାରୁ ବିସିସିଆଇ, ୟପିସିଏ କ୍ରିକେଟ, ଆଇପିଏଲ, ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ ।”
ସେ ଦେଶପାଇଁ ୨୨୬ଟି ଦିନିକିଆ ମ୍ୟାଚ୍ ଖେଳି ୫୬୧୫ ରନ୍ କରିବାରେ ସମର୍ଥ ହୋଇଛନ୍ତି। ତାଙ୍କର ସର୍ବାଧିକ ସ୍କୋର୍ ହେଉଛି ୧୧୬ ରନ୍। ସେହିପରି ଟି-୨୦ରେ ସେ ୭୮ ମ୍ୟାଚ୍ ଖେଳି ୧୦୬୫ ରନ୍ ହାତେଇ ପାରିଛନ୍ତି। ଏହି ୩୫ ବର୍ଷୀୟ ଖେଳାଳି ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ ନେଇଥିଲେ। ଯେଉଁଦିନ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍ର ଭାବେ ଅବସର ଗ୍ରହଣ କରିଥିଲେ।
ସୂଚନା ଯେ, ଚାରି ଥର ଆଇପିଏଲ୍ ଚାମ୍ପିୟନ୍ ହୋଇ ଚେନାଇ ସୁପର୍ କିଙ୍ଗ୍ସର ଏକ ଅବିଛେଦ୍ୟ ଅଙ୍ଗ ପାଲଟିଥିବା ରାଇନା ୨୦୨୨ ମସିହା ଆଇପିଏଲ୍ରେ ନିଲାମର ଅଂଶ ପାଲଟି ପାରିନଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଦୀର୍ଘ ବର୍ଷ ଧରି ଭାରତୀୟ କ୍ରିକେଟ୍ ଦଳର ଜଣେ ସକ୍ରିୟ ଖେଳାଳି ରହିଥିବା ବେଳେ ଖେଳର ୩ଟି ଫର୍ମରେ ସେ ଜଣେ ଉଦୀୟମାନ ଖେଳାଳି ଭାବେ ବେଶ୍ ପରିଚିତ। ଆଇପିଏଲ୍ରେ ମୋଟ ୨୦୫ ମ୍ୟାଚ୍ ଖେଳି ୫୫୨୮ ରନ୍ କରିଛନ୍ତି ରାଇନା। ସେଥିମଧ୍ୟରେ ରହିଛି ଗୋଟିଏ ଶତକ ଏବଂ ୩୯ ଅର୍ଦ୍ଧଶତକ। ଆଇପିଏଲ୍ର ସର୍ବାଧିକ ରନ୍ ହାସଲକାରୀଙ୍କ ମଧ୍ୟରେ ସଂପ୍ରତି ବିରାଟ କୋହଲି (୬୨୮୩), ଶିଖର ଧାୱନ (୫୭୮୪) ଓ ରୋହିତ ଶର୍ମା (୫୬୧୧)ଙ୍କ ପରେ ମିଷ୍ଟର ଆଇପିଏଲ୍ ଭାବେ ପରିଚିତ ରାଇନା ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରଥମ ଖେଳାଳି ଭାବେ ଆଇପିଏଲ୍ରେ ୫,୦୦୦ ରନ୍ ପୂରଣ, ସର୍ବାଧିକ କ୍ୟାଚ୍ (୧୦୯), ଚେନ୍ନାଇ ପାଇଁ ସର୍ବାଧିକ ଅର୍ଦ୍ଧଶତକ (୩୩), ସର୍ବାଧିକ ବାଉଣ୍ଡରି (୪୨୫) ମାରିବାର କୀର୍ତ୍ତିମାନ ରାଇନାଙ୍କ ନାଁରେ ରହିଛି। ଚେନ୍ନାଇ ପାଇଁ ଦ୍ବିତୀୟ ସର୍ବାଧିକ ଛକା (୧୮୫) ମାରିଛନ୍ତି ଏହି ୩୫ ବର୍ଷୀୟ ବିସ୍ଫୋରକ ବ୍ୟାଟର୍। ବ୍ୟକ୍ତିଗତ କାରଣ ପାଇଁ ଗତବର୍ଷର ଆଇପିଏଲ୍ ଖେଳିନଥିଲେ ରାଇନା। ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବା ପରେ ସେ ମଧ୍ୟ ଘରୋଇ କ୍ରିକେଟ୍ରେ ସକ୍ରିୟ ନଥିଲେ।