ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ ମୋହନ ଏମ. ଶାନ୍ତନାଗୋଦରଙ୍କ ପରଲୋକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ ମୋହନ ଏମ. ଶାନ୍ତନାଗୋଦରଙ୍କ ପରଲୋକ । ଶନିବାର ବିଳମ୍ୱିତ ରାତିରେ ଗୁରୁଗ୍ରାମରେ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଜଷ୍ଟିସ ଶାନ୍ତନାଗୋଦରଙ୍କ ଫୁସଫୁସ ସଂକ୍ରମଣ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ତାଙ୍କର ଚାଲିଥିଲା ଚିକିତ୍ସା ।
ସୂଚନା ଯେ, ଶନିବାର ସନ୍ଧ୍ୟାରେ ତାଙ୍କର ଅବସ୍ଥା ଭଲ ଥିଲା । ହେଲେ ପରେ ବିଳମ୍ୱିତ ରାତିରେ ଅର୍ଥାତ୍ ୧୨.୩୦ରେ ତାଙ୍କର ପରଲୋକ ହୋଇଥିଲା । ପରେ ପରିବାର ଲୋକଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର କରାଯାଇଥିଲା । ତେବେ ତାଙ୍କୁ କରୋନା ସଂକ୍ରମଣ ହୋଇଥିଲା କି ତାହା ଏଯାଏଁ ସ୍ପଷ୍ଟ ହୋଇନି । ୧୭ ଫେବୃୟାରୀ ୨୦୧୭ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାପତି ଭାବେ ପଦୋନ୍ନତି ଦିଆଯାଇଥିଲା । ୧୯୫୮ରେ ମେ ୫ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ଶାନ୍ତନାଗୋଦର । ସେପ୍ଟେମ୍ୱର ୫ ୧୯୮୦ରେ ସେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିଲେ । ସୁପ୍ରିମକୋର୍ଟକୁ ପଦୋନ୍ନତି ପୂର୍ବରୁ ସେ କେରଳର ହାଇକୋର୍ଟର ପ୍ରଧାନ ବିଚାରପତି ରହିଥିଲେ ।