ନୂଆ ମୋଡ ନେଉଛି ସୁମିତ-ତପସ୍ୱିନୀ ବିବାଦ; ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ସୁମିତ
କଟକ : ନୂଆ ନୂଆ ମୋଡ ନେଉଛି ବ୍ରହ୍ମପୁର ସୁମିତ ତପସ୍ୱିନୀ ବିବାହ ବିବାଦ । କେତେବେଳେ ସୁମିତଙ୍କ ବାପା ତ ପୁଣି କେତେବେଳେ ସୁମିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି । ମାମଲାକୁ ନେଇ ହାଇକୋର୍ଟରେ ପହଞ୍ଚିଛନ୍ତି ଡାକ୍ତର ସୁମିତ ସାହୁ । ଅପିଲ ଦାଖଲ ପାଇଁ ହାଇକୋର୍ଟ ଆସିଥିବା ସୂଚନା ମିଳିଛି । ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ସୁମିତ ।
ଗତ ୪ ତାରିଖରେ ହୋଇଥିବା ନିର୍ଦ୍ଦେଶନାମା ଉପରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ସୁମିତ । ଡିମ୍ପଲ, ସୁମିତଙ୍କ ଘରେ ରହିବା ଏବଂ ମାସିକ ୧୭ ହଜାର ଟଙ୍କା ଦେବା ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୁମିତ । କୋର୍ଟରେ ମାମଲା ବିଚାରାଧୀନ ରହିଛି । ଘର କଥା ଘରେ ରହିଲେ ଭଲ । ଘର କଥା ବାହାରକୁ ଆସିବାର ନଥିଲା । ଏବେ ଏହି ବିବାଦର ସମାଧାନ ନ୍ୟାୟାଳୟ କରିବେ ବୋଲି କହିଛନ୍ତି ଡାକ୍ତର ସୁମିତ । ସେହିପରି ଏକାଠି ହେବା ନହେବା ସମୟ ହିଁ କହିପାରିବ ବୋଲି ସେ କହିଛନ୍ତି । ଏହାସହ ନିଖୋଜ ନେଇ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଉଥିଲା, ସେନେଇ ଉତ୍ତର ରଖିଛନ୍ତି ସୁମିତ । ମାନସିକ ସ୍ଥିତି ଭଲ ନଥିବାରୁ ଛୁଟିରେ ରହିଛି ବୋଲି ସୁମିତ କହିଛନ୍ତି । ଅପରପକ୍ଷେ ସୁମିତଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ସୁମିତଙ୍କ ପକ୍ଷରୁ ରୁଜୁ ହୋଇଛି ଅପିଲ ମାମଲା ।
ସୂଚନା ଯେ, ଡାକ୍ତର ସୁମିତ ସାହୁ ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ବିବାଦ ମାମଲାର ଦୁଇଟି ପିଟିସନ୍ ଉପରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଶୁଣାଣି ହୋଇଥିଲା । ତପସ୍ୱିନୀଙ୍କ ମୁଖ୍ୟ ପିଟିସନର ଉତ୍ତରରେ ବ୍ରହ୍ମପୁରର ଏସ୍.ଡି.ଜେ.ଏମ୍ କୋର୍ଟରେ ଜବାବ ରଖିଥିଲେ ସୁମିତଙ୍କ ଓକିଲ । ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ସ୍ଥିର କରାଯାଇଛି ।