ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ଅଧିନସ୍ଥ ଅବଦୁଲ କାଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶୁକ୍ରବାର ପୂର୍ବାହ୍ନ ୯ଟା ୪୫ମିନିଟ୍ରେ ଅଗ୍ନି ପ୍ରାଇମ୍ ନିୟୁ ଜେନେରେସନ ବାଲାଷ୍ଟିକ୍ ମିସାଇଲ୍ର ସଫଳ ପରୀକ୍ଷଣ ହୋଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରୀ ସୂଚନା ଦେଇଛନ୍ତି ।
ଅଗ୍ନି ପ୍ରାଇମ୍ ଏକ ଦ୍ୱିପର୍ଯାୟ କ୍ୟାନିଷ୍ଟାଇଜ୍ଡ୍ ସଲିଡ୍ ପ୍ରୋପେଲାଣ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଯେଉଁଥିରେ ଅତ୍ୟାଧୁନିକ ଡୁଆଲ ରେଡୁଣ୍ଡାଣ୍ଟ ଦିଗବୋଧକ ସିଷ୍ଟମ ରହିଛି । ଏହି ମିସାଇଲ ଉତ୍କ୍ଷେପଣ ବେଳେ ଏହାର ବିଭିନ୍ନ ଦିଗ ଅନୁଧ୍ୟାନ କରିଥିଲା ପ୍ରତିରକ୍ଷା ବିଭାଗ ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ । ଅଗ୍ନି ପ୍ରାଇମ୍ ନିୟୁ ଜେନେରେସନ ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ ବେଳେ ଏହାର ଦୀର୍ଘତମ ଦୂରତା ଅତିକ୍ରମ ଦକ୍ଷତାକୁ ପ୍ରତିପାଦନ କରିଛି । ତୃତୀୟ ଥର ପାଇଁ ଏହି ମିସାଇଲର ସଫଲ ପରୀକ୍ଷଣ ହୋଇଛି । ମିସାଇଲର ତୃତୀୟ ପରୀକ୍ଷଣ ବେଳେ ଏହାର ବିଶ୍ୱସନୀୟତା ସିଷ୍ଟମ୍ର ସଠିକ କାର୍ଯ୍ୟ ଅନୁଧ୍ୟାନ କରାଯାଇଛି । ମିସାଇଲ ସିଷ୍ଟମର ଦକ୍ଷତା ଯାଞ୍ଚ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା । ଘାଟିର ବିଭିନ୍ନ ସ୍ଥାନରେ ରାଡ଼ାର, ଟେଲିମେଟ୍ରି ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ଲଗାଯାଇଥିଲା । ସେହିଭଳି ଦୁଇଟି ଡାଉନ ରେଞ୍ଜ୍ ସିପ୍ ମଧ୍ୟ ଟର୍ମିନାଲ ପଏଣ୍ଟରେ ରଖାଯାଇଥିଲା । ଯାହାଦ୍ୱାରା ଅଗ୍ନି ପ୍ରାଇମ୍ ନିୟୁ ଜେନେରେସନ ବାଲାଷ୍ଟିକ୍ ମିସାଇଲର ଗତିପଥର ତଦାରଖ ହୋଇପାରିଥିଲା ।
ସୂଚନା ଯେ, ପୂର୍ବରୁ ଗତ ୨୦୨୧ ଡିସେମ୍ବର ୧୮ ତାରିଖରେ ଏହା ପ୍ରଥମେ ଡ. ଏପିଜେ ଅବଦୁଲ କାଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହୋଇଥିଲା ।