ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା
ବାଲେଶ୍ୱର : ଲଘୁଚାପ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ଆସିଛି । ବର୍ଷା କମିଯାଇଥିଲେ ବି ବାଲେଶ୍ୱର ଜିଲାରେ ବନ୍ୟାର ବିଭୀଷିକା ଦେଖା ଦେଇଛି । ବାଲେଶ୍ୱର ଜିଲାରେ ପ୍ରବାହିତ ପ୍ରମୁଖ ୩ଟି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳେଶ୍ୱର ବ୍ଲକ ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା । ଏହାର ବିପଦ ସଂକେତ ୧୦.୩୬ ଥିବା ବେଳେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୧.୧ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ମଧ୍ୟରାତ୍ର ସୁଦ୍ଧା ୧୨.୧୦ ମିଟରରେ ପହଞ୍ଚିବ ବୋଲି ସେଣ୍ଟ୍ରାଲ ୱାଟର କମିଶନର ସୁବର୍ଣ୍ଣରେଖା ଶାଖା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଜଳକା ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗରେ ବନ୍ୟା ଜଳ ସତର୍କ ସୂଚନା ଉପରେ ବହୁଛି । ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଉଛି । ଜଳସ୍ତର ବଢ଼ୁଥିବାରୁ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଉଚ୍ଚାସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏନଡିଆରଏଫ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି। ଏହି ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟସରକାର ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ସ୍ୱତନ୍ତ୍ର ଭାବେ ଏସ୍ଆର୍ସି କ୍ଷମତା ପ୍ରଦାନ କରିବା ସହ ଆବଶ୍ୟକ ପଡ଼ିଲେ ଉଦ୍ଧାର ପାଇଁ ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗାଲୁଡ଼ିହି ବ୍ୟରେଜ୍ରେ ୧୬ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିବାରୁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା ରହିଛି । ନଦୀରେ ବଡ଼ ବନ୍ୟା ଆସିଲେ ବାଲିଆପାଳ ବ୍ଲକର ୧୨ଟି ପଞ୍ଚାୟତର ୩୦ରୁ ଅଧିକ ଗାଁ ବନ୍ୟା ପାଣିରେ ଜଳମଗ୍ନ ହୋଇଯିବା ସହିତ ଗ୍ରାମ ଗୁଡ଼ିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ । ଫଳରେ ଲୋକେ ନାହିଁ ନଥିଲା ଅସୁବିଧାର ସମ୍ମୁଖୀନ ହେବେ । ରବିବାର ଅପରାହ୍ନ ୪ଟା ସମୟ ରେ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବିପଦ ସଙ୍କେତ ଉପରେ ୧୦.୪୧ ରେ ପ୍ରବାହିତ ହେଉଥିବା ବେଳେ ସେଠାରେ ବିପଦ ସଙ୍କେତ ୧୦.୩୬ ରହିଛି । ନଦୀରେ ବନ୍ୟା ଜଳ ବଢ଼ିଲେ ବାଲିଆପାଳ ବ୍ଲକର ୧୨ ଟି ପଞ୍ଚାୟତର ୫୫ଟି ଗ୍ରାମର ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀ କୂଳିଆ ପଞ୍ଚାୟତ ବିଷ୍ଣୁପୁର ପଞ୍ଚାୟତର ସମସ୍ତ ୬ଟି ଗାଁ ବିଷ୍ଣୁପୁର, ନୟାବାଲି, ଇକଡ଼ପାଳ, ରସଲପୁର ଓ ରାଉତ୍ରାପୁର, ଜାମକୁଣ୍ଡା ପଞ୍ଚାୟତର ୬ଟି ଗାଁ ତାଳପଦା, କୁହ୍ଲାଚଡ଼, ଲଖପାଳ, ପାଳଜାମକୁଣ୍ଡା, କାଳରୁଇ ଓ ଜୁଣପାହି, ବାଲିଆପାଳ ପଞ୍ଚାୟତର ୫ଟି ଗାଁ ତଳ ବାଲିଆପାଳ, ସୁଙ୍ଗମୁହଁ, କୁଦମାନସିଂହ, ଆଠବାଟିଆ ଓ ଗୁନାପୁର, ମଧୁପୁରା ପଞ୍ଚାୟତର ୩ଟି ଗାଁ ଚଡ଼ବସ୍ତ କାଳରୁଇ, ଚୌଧୁରୀକୁଦ ଓ ପଞ୍ଚରୁଖି । ସେହିପରି ଅସ୍ତି ପଞ୍ଚାୟତର ୯ଟି ଗାଁ ଶରଧାରସାହି, ବଢ଼ାପାଳ, ଚଡ ବଢ଼ାପାଳ, ଅସ୍ତି, ପାରୁଳିଆ, ଖାଳପାଖ, କଣ୍ଟାଡ଼ିହା, କଣ୍ଟାବଣି ଓ ସୁର୍ଯାପୁର । ସେହିପରି ଘଣ୍ଟୁଆ ପଞ୍ଚାୟତର ୪ଟି ଗାଁ ଧରମଦୁଆର, ମାଳିକୁଦ, ଘଣ୍ଟୁଆ, ବଡ଼କସବା । ନିଖିରା ପଞ୍ଚାୟତର ୬ଟି ଗାଁ ପାଳବେଗୁନିଆ, ପାଳପଡ଼ା, ଚଡ଼ପାଳପଡ଼ା, ମଝିପଡ଼ା,ପାଳଚମ୍ପେଇ, ତଳଧାନନ୍ଦା । କୁମ୍ଭାରୀ ପଞ୍ଚାୟତର ୬ଟି ଗାଁ ଝଲଝଲିଆ, ନୂଆସାହି, ଗୁଆପଡ଼ା, କୁମ୍ଭାରୀ, ତାପୂଣ୍ଡିଆ, ସୁନାକଣିଆ । ସେହିପରି ଶ୍ରୀରାମପୁର ପଞ୍ଚାୟତର ୫ଟି ଗାଁ ରେମୁ, ଧାନନ୍ଦା, ନେପୁରା, ଶ୍ରୀରାମପୁର, ବିଲକୁମ୍ଭାରୀ । ଦେଭୋଗ ପଞ୍ଚାୟତର ୫ଟି ଗାଁ ଡୁମିଚକ, ଖାଳମୁହାଁଣି, ଦାନ୍ତୁଣିଦା, ନୂଆଗାଁ, ବିଷ୍ଣୁପୁର ଆଦି ଗାଁଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ୨୦୦୮ ମସିହାରେ ୩ଲକ୍ଷ ୭୫ହଜାର କ୍ୟୁସେକ ପାଣି ଆସି ନାହିଁ ନ ଥିବା କ୍ଷତି ଘଟାଇଥିଲା । ସେତେବେଳର ଦୁଃଖ ଆଜିବି ଲୋକଙ୍କ ମନରୁ ଲିଭି ନଥିବାବେଳେ ରବିବାର ପୂର୍ବାହ୍ନରୁ ଗାଲୁଡ଼ିହି ବ୍ୟାରେଜରୁ ୫ଲକ୍ଷ ୯୦ହଜାର କ୍ୟୁସେକ ପାଣି ଛଡ଼ାଯାଇଛି ବୋଲି ସରକାରୀ ରିପୋର୍ଟ ରହିଛି । ସେହି ତୁଳନାରେ ଆକଳନ କରିବାବେଳକୁ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଅନୁମାନ କରାଯାଉଛି । ପ୍ରଶାସନ ବନ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି ଉଭୟ ତହସିଲଦାର ଓ ବିଡ଼ିଓ ଦାୟିତ୍ୱରେ ଥିବା ଦୀପକ କୁମାର ଦାଶ କହିଛନ୍ତି । ଦୁଇଟି ଏନଡ଼ିଆରଏଫ ଟିମ ସହିତ ଅଗ୍ନିଶମ ବିଭାଗ, ସମସ୍ତ ପଞ୍ଚାୟତର ସରପଞ୍ଚ, ବ୍ଲକ ପ୍ରଶାସନ, ଲୋକପ୍ରତିନିଧି ଓ ସ୍ୱେଛାସେବୀ ଅନୁଷ୍ଠାନକୁ ସଜାଗ ରହିଛନ୍ତି । ତଳିଆ ଅଞ୍ଚଳରୁ ଆବଶ୍ୟକ ମୁତାବକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ତହସିଲଦାର ଶ୍ରୀ ଦାଶ କହିଛନ୍ତି ।
ଅନ୍ୟପକ୍ଷରେ ଜିଲାପାଳ ଶ୍ରୀ ଶିନ୍ଦେ ରବିବାର ଭିଡ଼ିଓ କନ୍ଫାରେନ୍ସିଂ ମାଧ୍ୟମରେ ୪ଟି ବ୍ଲକ (ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର)ର ଜିଲାପରିଷଦ, ସମିତିସଭ୍ୟ, ସରପଞ୍ଚ, ୱାର୍ଡ଼ମେମ୍ବର ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ବନ୍ୟା ସମ୍ପର୍କିତ ଆଲୋଚନା କରିଛନ୍ତିି । ସୁବର୍ଣ୍ଣରେଖାରେ ୧୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେବାର ସୂଚନା ଦେଇ ଅଞ୍ଚଳବାସୀଙ୍କୁ ସଜାଗ ରହିବା, ବନ୍ୟାଞ୍ଚଳବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା, ସେମାନଙ୍କ ଖାଦ୍ୟ, ପାନୀୟଜଳ, ଔଷଧର ବ୍ୟବସ୍ଥା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଗତ ୨୦୦୮ ବର୍ଷରେ ୧୨.୬୯ ମିଟର ଜଳ ସୁବର୍ଣ୍ଣରେଖାରେ ଆସିଥିବା ବେଳେ ବନ୍ୟାରେ ବହୁ କ୍ଷତି ଘଟାଇଥିଲା । ତା’ ଠାରୁ ଏବେର ବନ୍ୟା ଅଧିକ ହେବ ବୋଲି ସୂଚାଇଥିଲେ ।