ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିରତି ନେଲେ ଷ୍ଟୋକ୍ସ, ଭାରତ ବିପକ୍ଷରେ ଖେଳିବେନି ମ୍ୟାଚ୍

ନୂଆଦିଲ୍ଲୀ : ଇଂଲଣ୍ଡକୁ ଦିନିକିଆ ବିଶ୍ୱକପ୍ ସହିତ ଏକାଧିକ ଶୃଙ୍ଖଳାରେ ବିଜୟ ଦେଇଥିବା ବେନ୍ ଷ୍ଟୋକ୍ସ ଅଚାନକ କ୍ରିକେଟରୁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଷ୍ଟାର ଅଲରାଉଣ୍ଡର ନିଜର ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେଇଛନ୍ତି । ସେ କ୍ରିକେଟରୁ ଅନିଶ୍ଚିତକାଳ ପାଇଁ ଛୁଟିରେ ରହିବେ । ସେ ଭାରତ ବିପକ୍ଷ ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ଖେଳିବେ ନାହିଁ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ଏହି ସୂଚନା ଦେଇଛି ।
ଇସିବି ଏକ ବୟାନରେ କହିଛି ଯେ, ଷ୍ଟୋକ୍ସ ନିଜର ବାମ ହାତରେ ଏକ ଆଙ୍ଗୁଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଏଥି ପାଇଁ ସେ ଏବେ ବିଶ୍ରାମ ନେଉଛନ୍ତି । କୋଭିଡ କାଳରେ କ୍ରିକେଟରଙ୍କ ମାନସିକ ସ୍ୱାସ୍ଥ୍ୟ ଲଗାତାର ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଖେଳାଳିଙ୍କୁ ମାସ ମାସ ଧରି ଜୈବ ସୁରକ୍ଷିତ ପରିବେଶରେ ରହିବାକୁ ପଡ଼ିଛି । ଇଣ୍ଡିଆନ ପ୍ରିମିୟର ଲିଗ୍ ସମୟରେ ଷ୍ଟୋକ୍ସଙ୍କ ଏହି ତର୍ଜନୀ ଆଙ୍ଗୁଳି ଆଘାତ ଲାଗିଥିଲା। ପରେ ତାଙ୍କୁ ଅସ୍ତ୍ରୋପ୍ରଚାର କରିବାକୁ ପଡିଥିଲା। ତାଙ୍କ ଆଘାତ ଅଦ୍ୟାବଧି ସଂପୂର୍ଣ୍ଣ ସୁସ୍ଥ ହୋଇ ନାହିଁ। ଇସିବି ପ୍ରେସ୍ ବିବୃତ୍ତି ଜାରି କରି ଷ୍ଟୋକ୍ସଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିବା କହିଛି। ଖେଳରୁ ବିରତି ସମୟରେ ବୋର୍ଡ ତାଙ୍କ ସହାୟତା କରିବ। ଇଂଲଣ୍ଡର ପୁରୁଷ କ୍ରିକେଟ୍ ଦଳର ପ୍ରବନ୍ଧ ନିର୍ଦ୍ଦେଶକ ଏସଲେ ଜାଇଲ୍ସ କହିଛନ୍ତି, ବେନ ଷ୍ଟୋକ୍ସ ନିଜର ଭାବନା ଓ ଉନ୍ନତି ବିଷୟରେ ଖୋଲା ଖୋଲି କହିବାର ସାହାସ ଦେଖାଇଛନ୍ତି। ଖେଳାଳିଙ୍କ ଭଲ ମନ୍ଦ ତଥା ସେମାନଙ୍କର ମାନସିକ ସ୍ଵାସ୍ଥ୍ୟ ବିକାଶ ଆମର ପ୍ରାଥମିକତା ବୋଲି ଜାଇଲ୍ସ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ବେନ ଷ୍ଟୋକ୍ସଙ୍କୁ ସେ ପର୍ଯ୍ୟନ୍ତ ବିଶ୍ରାମ ଦିଆଯିବ, ଯେ ପର୍ଯ୍ୟନ୍ତ ସେ ଚାହିଁବେ। ଆମେ ଭବିଷ୍ୟତରେ ଇଂଲଣ୍ଡ ପାଇଁ ତାଙ୍କର କ୍ରିକେଟ୍ ଖେଳ ଦେଖିବାକୁ ଉତ୍ସୁକ। ଷ୍ଟୋକ୍ସଙ୍କ ସ୍ଥାନରେ ସମରସେଟ୍ର କ୍ରେଗ୍ ଓଭରଟନଙ୍କୁ ଦଳରେ ସାମିଲ୍ କରାଯାଇଛି। ଆମେ ଅନୁରୋଧ କରୁଛୁ ଯେ, ଏହି ସମୟରେ ବେନ ଓ ତାଙ୍କ ପରିବାରଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦିଆଯାଉ।