ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ
- ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ପୁରୀ : ଏଣିକି ସପ୍ତାହରେ ଦୁଇ ଦିନ (ଶନିବାର ଓ ରବିବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ । କରୋନା ସ୍ଥିତିକୁ ନେଇ ଚାଲିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।
ପରିବର୍ତ୍ତନ ହେଲା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ଏସଓପି। ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ପ୍ରମାଣପତ୍ର କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ୭ ଦିନ ମଧ୍ୟରେ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଥିବା ଆବଶ୍ୟକ। ସେପଟେ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ କଡ଼ା କଟକଣା ଜାରି କରାଗଲା। ସେହିପରି ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହେବ ତିନୋଟି ଟିମ୍। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତିନୋଟି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ। ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଏହି ସମୟରେ ଶ୍ରୀମନ୍ଦିର ଭିତର ବେଢା, ସ୍ୱତନ୍ତ୍ର ବ୍ୟାରିକେଡ, ବଡ଼ଦାଣ୍ଡ ଆଦି ସାନିଟାଇଜେସନ କରାଯିବ। ଆଗାମୀ ୨୪ ତାରିଖ ଶନିବାର ଠାରୁ ସପ୍ତାହରେ ଦୁଇଦିନ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି।