ଶ୍ରୀଜୀଉଙ୍କୁ ଲାଗି ହେଲା ଓଷ, ଦଶମୀ ପର୍ଯ୍ୟନ୍ତ ଚାଲିବ

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ରହିଛନ୍ତି ଚତୁର୍ଦ୍ଧାବିଗ୍ରହ। ଦଇତା ଓ ପତିମହାପାତ୍ର ମହାପ୍ରଭୁଙ୍କ ଗୁପ୍ତ ସେବା କରୁଛନ୍ତି । ଶ୍ରୀବିଗ୍ରହଙ୍କ ଓଦା ଲୁଗା ଓଲାଗି, ଶ୍ରୀଅଙ୍ଗ ଫିଟା ପରେ ପଞ୍ଚମୀ ତିଥିରେ ବଡ଼ଓଡ଼ିଆ ମଠ ପକ୍ଷରୁ ଯୋଗା ଯାଇଥିବା ଫୁଲୁରୀ ତେଲ ଶ୍ରୀଅଙ୍ଗରେ ଲାଗି ହୋଇଥିଲା। ଏହାପରେ ମହାପ୍ରଭୁ ଜ୍ୱରରୁ ସାମାନ୍ୟ ଉପଶମ ପାଇଛନ୍ତି। ବୁଧବାର ଷଷ୍ଠୀ ତିଥିରେ ସୁଦୁ ସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହା ଦଶମୀ ପର୍ଯ୍ୟନ୍ତ ଚାଲିବ। ଦଶମୀରେ ଚକା ଲାଗି ଓ ଦଶମୂଳମୋଦକ, ଏକଦଶୀରେ ଖଡ଼ିପ୍ରସାଦ, ଦ୍ବାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣାଲାଗି ଆଦି ନୀତି ସମ୍ପନ୍ନ କରାଯିବ।
ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଉଛି। ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଏହି ଅନବସର ଗୁପ୍ତ ଚିକିତ୍ସା କରାଯାଉଛି। ସେପଟେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେବାୟତଙ୍କ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରଥଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କୁ ପର୍ଯ୍ୟାପ୍ତ ପରିମାଣର ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବ। ଦଇତାପତିଙ୍କୁ ୨ ଲିଟର ଲେଖାଏଁ ସାନିଟାଇଜର ବଣ୍ଟନ ସରିଛି।