ମେ ୧୫ ଯାଏଁ ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
ପୁରୀ : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ ତରଫରୁ ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଜାରି କରାଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧୫ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଏନେଇ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହେବାପରେ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ୬ ତାରିଖ ପୁଣି ଥରେ ବୈଠକ ବସିବ। ଏହାସହ ଏବେ ଠାରୁ ସମସ୍ତ ସେବକଙ୍କୁ କରୋନା ଟିକା ଦିଆଯିବ। ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ଆରମ୍ଭ ହେବା ସହ ଆରମ୍ଭ ହେବ ଚନ୍ଦନ ଯାତ୍ରା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯିବା ସହ ଆଗକୁ ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ। କିଛିଦିନ ତଳେ ୬୦ ସେବକ,କର୍ମଚାରୀ ଓ ତାଙ୍କ ପରିବାର ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିରୁ ଦୀର୍ଘ ସପ୍ତାହେ ହେବ ନାଇଟ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଗତକାଲି ଠାରୁ ସପ୍ତାହନ୍ତ ସଟଡାଉନ ନିୟମ ଲାଗୁ କରାଯାଇଛି।
ସୂଚନା ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ଜନସାଧାରଣଙ୍କ ପାଇଁ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ। ସେବାୟତ ଏବଂ ମନ୍ଦିର ଅଧିକାରୀଙ୍କ ସହାୟତାରେ ସମସ୍ତ ଦୈନନ୍ଦିନ ରୀତିନୀତି ଜାରି ରହିବ। କରୋନା ଭୂତାଣୁର ଶୀଘ୍ର ଚିହ୍ନଟ ଏବଂ ପ୍ରଭାବଶାଳୀ ଚିକିତ୍ସା ଯୋଗାଇ ଦେବା ପାଇଁ ସେବାୟତଙ୍କ ପରିବାର ଏବଂ ମନ୍ଦିର ଅଧିକାରୀଙ୍କର ନିୟମିତ ସ୍କ୍ରିନିଂ ଏବଂ ପରୀକ୍ଷା କରାଯିବ। ଆବଶ୍ୟକତା ଅନୁଯାୟୀ ନୀଳାଚଳ ଯାତ୍ରୀ ନିବାସରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ କେୟାର ସେଣ୍ଟର ଆହୁରି ମଜବୁତ ହେବ। ଏହା ସହିତ କୋଭିଡ କେୟାର ସେଣ୍ଟରର ନିରନ୍ତର ସମୀକ୍ଷା କରାଯିବ। ଗୁରୁତର କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର ବ୍ୟବସ୍ଥା ନିରାପଦରେ କରାଯିବ। ପ୍ରଶାସକ -ବିକାଶ, ମନ୍ଦିର ପ୍ରଶାସନ ପକ୍ଷରୁ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବ। ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରର ସମ ଏବଂ ଅନ୍ୟାନ୍ୟ ଡାକ୍ତରଖାନାରେ ବ୍ୟବସ୍ଥା କରାଯାଉଛି। ମାସ୍କ, ସାନିଟାଇଜର, ସାମାଜିକ ଦୂରତା ନେଇ ସଚେତନ କରାଯିବ। ଯେଉଁମାନେ ମହାପ୍ରଭୂଙ୍କ ଦୈନିକ ସେବା-ପୂଜାରେ ଜଡିତ ରହିବେ ଏବଂ ରଥ ନିର୍ମାଣରେ ଜଡିତ ରହିବେ ସେମାନଙ୍କ ଟିକାକରଣ ଉପରେ ଧ୍ୟାନ ଦିଆଯିବ। ରଥ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ରଥ ପରମ୍ପରା ଅନୁଯାୟୀ ଜାରି ରହିବ। ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ସମୟରେ ମାସ୍କ ଏବଂ ସାନିଟାଇଜର କ୍ରୟ ପାଇଁ ଅଗ୍ରୀମ ପଦକ୍ଷେପ ଗ୍ରହଣ କରିବ।