ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ୟସ୍’ ପାଇଁ ପ୍ରସ୍ତୁତ ରହିବାପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତୀ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନେ ୨୩ ତାରିଖ ପୂର୍ବରୁ ଫେରି ଆସିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟର ପ୍ରଭାବିତ ହେବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୋଲିସ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହିତ ରାଜ୍ୟସ୍ତରରେ ସଂପୃକ୍ତ ସମସ୍ତ ବିଭାଗକୁ ପ୍ରାକ ପ୍ରସ୍ତୁତି କରିବାକୁ ଜଣାଇ ଦିଆଯାଇଛି ।
ସମସ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କର ଅଧିକାରୀମାନଙ୍କ ଦ୍ୱାରା ବହୁମୁଖୀ ବାତ୍ୟା/ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଗୁଡିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିଛନ୍ତି । ଆଶ୍ରୟସ୍ଥଳୀଗୁଡିକରେ ବିକଳ୍ପ ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ତଦାରଖ କରିଛନ୍ତି । ସ୍ଥାନାନ୍ତରଣ ସମୟରେ ବିଶେଷକରି ବୃଦ୍ଧବୃଦ୍ଧା, ଅସୁସ୍ଥ ବ୍ୟକ୍ତି, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ପ୍ରସୂତି ଏବଂ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ସଂପୃକ୍ତ ଅଂଚଳର ଡାକ୍ତରଖାନାରେ ବିକଳ୍ପ ବିଦ୍ୟୁତ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଅଗ୍ନିଶମ ବାହିନୀ, ଓଡ୍ରାଫ ଏବଂ ଏନଡିଆରଏଫ କର୍ମଚାରୀମାନେ ସେମାନଙ୍କର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ବାତ୍ୟା ପୂର୍ବ ଓ ପରେ ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବଧତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଅଛି । ଜିଲ୍ଲାର ମତ୍ସ୍ୟ ଓ ପଶୁ ସଂପଦ ଅଧିକାରୀଙ୍କ ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି । ମତ୍ସ୍ୟଜୀବୀମାନଙ୍କ ବସ୍ତିରେ ଏ ସମ୍ବନ୍ଧରେ ଜନସଚେତନତା ପାଇଁ ମାଇକ ଯୋଗେ ସୂଚନା ପ୍ରଦାନ କରାଯାଉଛି ।
ନଗର ଉନ୍ନୟନ ବିଭାଗ , ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରସ୍ତୁତ ରହିବା ସହ ରାସ୍ତାଘାଟର ତ୍ୱରିତ ମରାମତି, ପାନୀୟ ଜଳ ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶକ୍ତି ବିଭାଗ ତରଫରୁ ବାତ୍ୟା ପରବର୍ତୀ ସମୟରେ କ୍ଷତିଗ୍ରସ୍ତ ବିଦ୍ୟୁତ ସରବରାହ ଭିତିଭୂମିର ତ୍ୱରିତ ପୁନଃନିର୍ମାଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ କୁଶଳୀ କର୍ମୀ ଦଳ ଓ ଯନ୍ତ୍ରାଂଶ ଗଚ୍ଛିତ ରଖାଯାଉଛି ।
ବାତ୍ୟା ସମୟରେ ଦୂରସଂଚାର ବ୍ୟବସ୍ଥାର ସଠିକ କାର୍ଯ୍ୟକ୍ଷମ ରଖିବା ଓ ପରବର୍ତୀ ସମୟରେ କ୍ଷତିଗ୍ରସ୍ତ ଦୂରସଂଚାର ଭିତିଭୂମିର ପୁନଃକାର୍ଯ୍ୟକାରୀ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥା, ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହ ଆଲୋଚନା କରିଥିଲେ । ଉକ୍ତ ସେବାପ୍ରଦାନକାରୀ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୟରେ ମାନବ ସମ୍ବଳ, ଯନ୍ତ୍ରାଂଶ ଓ ସାମଗ୍ରୀ ଆଦି ପ୍ରସ୍ତୁତ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି । ଏହି ବାତ୍ୟା ମେ’ ୨୬ତାରିଖରେ ଉତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ରାଜ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ୨୫ତାରିଖ ବର୍ଷା ହେବା ସହ ଘଂଟାପ୍ରତି ୪୫ରୁ ୬୫କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ମେ’ ୨୬ତାରିଖ ବେଳକୁ ଏହି ପବନର ବେଗ ବୃଦ୍ଧି ପାଇଁ ୬୫ରୁ ୮୫କିମି ପର୍ଯ୍ୟନ୍ତ ହୋଇପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ।