ବାଲେଶ୍ୱର ଜନ ଜାଗରଣ ମଞ୍ଚ ପକ୍ଷରୁ କଥା ସମ୍ରାଟ ଫକୀରମୋହନଙ୍କ ୧୮୦ତମ ଜୟନ୍ତୀ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ଜନ ଜାଗରଣ ମଞ୍ଚ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଜନ୍ମଲାଭ କରିଥିବା ସଂକ୍ରାନ୍ତି ପୁରୁଷ ତଥା କଥା ସମ୍ରାଟ ଫକୀରମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ଉତ୍ସବ ଶୁକ୍ରବାର ପାଳିତ ହୋଇଛି । ଏହି ଅବସରରେ କରୋନା କଟକଣା ମଧ୍ୟରେ ନିରାଋମ୍ବର ଭାବେ ରେଳ ଷ୍ଟେସନ ପରିସରରେ ସ୍ଥାପିତ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୁତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।
ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ଯୁବ ସମାଜସେବୀ ଲକ୍ଷ୍ମୀନାରାୟଣ ମହାନ୍ତି ଯୋଗଦେଇ ସାହିତ୍ୟ ବିନା ସଭ୍ୟତା ଆଗେଇ ପାରିବ ନାହିଁ । ଭାଷା, ସାହିତ୍ୟ ଗୋଟିଏ ଜାତିର ଆତ୍ମା । ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ ଫକୀରମୋହନଙ୍କ ଅବଦାନକୁ ଓଡ଼ିଆ ଜାତି ଭୁଲି ପାରିବ ନାହିଁ । ତାଙ୍କର ଶକ୍ତିଶାଳୀ ରଚନା ଭାଷା, ସାହିତ୍ୟ କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିଥିଲା । ବାସ୍ତବରେ ଫକୀରମୋହନ ଥିଲେ ଓଡ଼ିଆ ଭାଷା ସୁରକ୍ଷାର ସେନାପତି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ପୁରୁଷୋତ୍ତମ ବିଶ୍ୱାଳ, ସମ୍ପାଦକ ଉମେଶ ଚନ୍ଦ୍ର ବାରିକ, ଅଞ୍ଜଳୀ ପଣ୍ଡା, ବିନୋଦ ନାୟକ, ତୁଷାରକାନ୍ତି ମହାପାତ୍ର ପ୍ରମୁଖ ଯୋଗଦେଇ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତିଙ୍କ ଦ୍ୱାରା ରେଳ ଷ୍ଟେସନ ପରିସରରେ ଉପସ୍ଥିତ କୁଲିମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।