ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଇଡି ତାଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରା ଉଚୁରା କରିବାକୁ ଡାକିଛି । ଆଉ ଏହି ମାମଲାକୁ କଂଗ୍ରେସ ବଡ ପ୍ରସଙ୍ଗ କରିବାକୁ ଚାହୁଁଛି । ଏଥିପାଇଁ ଦଳ ଗୁରୁବାର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରୁଛି । ନ୍ୟାସନାଲ ହେରାଲ୍ଡ ମାମଲାରେ କଥିତ ବିତୀୟ ଅନିୟମିତତା ସଂପର୍କିତ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମେତ କମ୍ପାନୀର ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି । ଏହି ମାମଲାରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡି ଅନେକ ଦିନ ଧରି ପଚରା ଉଚୁରା କରି ସାରିଛି । ଗୁରୁବାର ଏହି କେସରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚୁରା କରିବ ଇଡି ।
ଏହି ସମୟରେ କଂଗ୍ରେସ ସମଗ୍ର ଦେଶରେ ଇଡି କାର୍ଯ୍ୟାଳୟ ଘେରଉ କରିବା ସହିତ ଅନେକ ସ୍ଥାନରେ ଚକାଜାମ ଏବଂ ଶୋଭାଯାତ୍ରା ବାହାର କରିବ । ପାର୍ଟିର ବଡ ନେତା କଂଗ୍ରେସ କାର୍ଯ୍ୟାଳୟରେ ଏକତ୍ର ହେବେ ଏବଂ ଇଡି ଦପ୍ତର ପର୍ଯ୍ୟନ୍ତ ରାଲି କରିବେ । ଯୁବ କଂଗ୍ରେସ ଏବଂ ଏନଏସୟୁଆଇ ସହିତ ମହିଳା କଂଗ୍ରେସର ନେତା ମଧ୍ୟ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ । ସୋନିଆଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ । ବୁଧବାର ବିଳମ୍ବିତ ରାତ୍ରି ସୁଦ୍ଧା କଂଗ୍ରେସ ନିଜ ଯୋଜନାକୁ ଚୂଡାନ୍ତ ରୂପ ଦେବ । ଦଳ ଯୋଜନାକୁ ଗୋପନୀୟ ରଖିଛି, ଯଦ୍ୱାରା ପୋଲିସ ସେମାନଙ୍କୁ ସହଜରେ ରୋକି ପାରିବ ନାହିଁ ।