ପରଲୋକରେ ସହିଦ ଭଗତ ସିଂହଙ୍କ ପୁତୁରା
ଚଣ୍ଡୀଗଡ : ପୁଣି କରୋନା ନେଲା ଜୀବନ । ସହିଦ ଭଗତ ସିଂହଙ୍କ ପୁତୁରା ଅଭୟ ସିଂହ ସଂଧୁଙ୍କ କରୋନାରେ ପରଲୋକ ହୋଇଛି । ମୋହାଲିସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ ପରେ ପଂଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ଶୋକ ବ୍ୟକ୍ତ କରିଛନ୍ତି । ଗତକିଛି ଦିନ ତଳେ ସେ କରୋନାରେ ପୀଡିତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ସୂତ୍ରରୁ କୁହାଯାଇଛି ଯେ କୋଭିଡ-୧୯ ପରେ ସନ୍ଧୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଥିଲା । ସଂନ୍ଧୁ ସହିଦ ଭଗତ ସିଂହଙ୍କ ସାନ ଭାଇ କୁଲବୀ ସିଂହଙ୍କ ପୁଅ ଥିଲେ ।
ଏନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟୁଇଟ କରି ନିଜର ଶୋକ ଜଣାଇଛନ୍ତି । ସେ କହିଛନ୍ତି ସହିଦ-ଏ-ଆଜମ ଭଗତ ସିଂହଙ୍କ ପୁତୁରା ଅଭୟ ସିଂହ ସନ୍ଧୁଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ । ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି । ଚିକିତ୍ସାରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ତାହା ରାଜ୍ୟ ସରକାର ବହନ କରିବେ । ଈଶ୍ୱର ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ । ସେହିପରି ପଂଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ନିଧନ ନେଇ ଶୋକ ଜଣାଇ କହିଛନ୍ତି ଯେ, ୬୩ ବର୍ଷୀୟ ସାମାଜିକ କର୍ମୀ ଫୋର୍ଟିସ ହସ୍ପିଟାଲରେ ଅନ୍ତିମ ନିଃଶ୍ୱାସ ନେଇଛନ୍ତି ।