ହାଇଦର ଫେରାର ଘଟଣାରେ ୬ ପୋଲିସ କର୍ମଚାରୀ ସସ୍ପେଣ୍ଡ
ସମ୍ବଲପୁର : କଟକ ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ବିଭାଗୀୟ ତଦନ୍ତ ପରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ ସମ୍ବଲପୁର ଏସ୍ପି । ସେମାନଙ୍କ ମଧ୍ୟରୁ ଜଣେ ହାବିଲଦାର ଏବଂ ଅନ୍ୟ ୫ ଜଣ ହେଉଛନ୍ତି କନଷ୍ଟେବଳ। ନିଲମ୍ବିତ ହୋଇଥିବା ହାବିଲଦାର ହେଲେ ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ ସାହୁ, କନଷ୍ଟେବଳ ଦୀପକ ସାହୁ, ମହମ୍ମଦ ମୌସିମ, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝି । ଏମାନଙ୍କୁ ନିଲମ୍ବନ କରାଯାଇଥିବା ନେଇ ସମ୍ବଲପୁର ଏସ୍ପି ବାତୁଲା ଗଙ୍ଗାଧର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନା ଯେ, କଟକ ଏସସିବିର ସର୍ଜରୀ ଓ୍ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଡାକ୍ତରଖାନା ବେଡ୍ରୁ କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯାଇଥିଲା । ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ହୋଇଯାଇଛି । ହାଇଦରକୁ ଧରିବା ପାଇଁ କଟକରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସହରର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି। କଟକ ଡିସିପିଙ୍କ ନେତୃତ୍ଵରେ ଏହି ଅପରେସନ ଜାରି ରହିଛି ।