ପଶ୍ଚିମବଙ୍ଗରେ ମିଥ୍ୟା ଟିକାକରଣ ଅଭିଯାନର ତଦନ୍ତ ଦାବି ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ ଅଧିକାରୀ
କୋଲକାତା : ସମଗ୍ର ଦେଶରେ କରାନାର ଦ୍ଵିତୀୟ ଲହର ସମୟରେ ଟିକାକରଣ ଅଭିଯାନ ଜୋରସୋରରେ ଚାଲିଛି। ଏହା ମଧ୍ୟରେ ପଶ୍ଚିମବଙ୍ଗରେ ଫେକ୍ ଭ୍ୟାକ୍ସିନେସନ ଡ୍ରାଇଭ ବା ମିଥ୍ୟା ଟିକାକରଣ ଅଭିଯାନ ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କ ଟିକାକରଣ ନୀତି ଉପରେ ପ୍ରଶ୍ନ ଉଠାଇଛି। ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଦ୍ଧବର୍ଦ୍ଧନ ସିଂହଙ୍କୁ ଚିଠି ଲେଖିଛନ୍ତି।
ହର୍ଷବର୍ଦ୍ଧନଙ୍କୁ ଲେଖିଥିବା ଚିଠିରେ ଶୁଭେନ୍ଦୁ ଉଲ୍ଲେଖ କରିଛନ୍ତି ଯେ, ଏହି ମିଥ୍ୟା ଭ୍ୟାକ୍ସିନେସନ ଡ୍ରାଇଭର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ରାଜ୍ୟ କ୍ଷମତାସୀନ ପାର୍ଟିର ଲୋକ। ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ଗିରଫ ଅଭିଯୁକ୍ତଙ୍କ ନାମ ଦେବଞ୍ଜନ ଦେବ। ସେ କସବାର ଅମହଷ୍ଟ ଗଳି ଏବଂ ସୋନପୁର ଅଞ୍ଚଳରେ ନିଜକୁ ଆଇଏଏସ ଅଧିକାରୀର ପରିଚୟ ଦେଇ ବେଆଇନ ଟିକାକରଣ ଅଭିଯାନ ଚଳାଇଥିଲେ। ସେ ପୁଣି ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଓ ପ୍ରଶାସନିକ ଅଧିକାରୀ ନିରୀକ୍ଷଣରେ। ଏହି ଟିକାକରଣ ଅଭିଯାନରେ ଶତାଧିକ ଲୋକ ଆଧାରକାର୍ଡ ଜରିଆରେ ପ୍ରଥମ ଟିକା ନେଇ ସାରିଛନ୍ତି। ହେଲେ ଜଣଙ୍କୁ ମଧ୍ୟ ଟିକାର ସାର୍ଟିଫିକେଟ୍ ମିଳିନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଯେ, ଦିଆଯାଇଥିବା ଟିକା କଣ ବାସ୍ତବରେ କୋଭିସିଲ୍ଡ ଟିକା ଯାହା ଅଭିଯୁକ୍ତ ଦାବି କରୁଛନ୍ତି। ଯଦି ଏମିତି ହୋଇଥାଏ ତେବେ ସରକାରୀ ଷ୍ଟକରୁ କୋଭିସିଲ୍ଡ ଟିକା ଚୋରି ହୋଇଥିବା ଦିଗ ପ୍ରତି ଏହା ଇସାରା କରୁଛି। ଏପରିକି ଏହା ଉଚ୍ଚପଦସ୍ଥ ଅଧିକାରୀଙ୍କ ବିନା ସଲାସୁତୁରାରେ ହେବା ସମ୍ଭବ ନୁହେଁ। ବାସ୍ତବରେ ଯଦି ଏହା କୋଭିଡ୍ ଟିକା ହୋଇନଥାଏ ତେବେ ତୁରନ୍ତ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଏହି ମାମଲାରେ କୋଲକାତା ପୋଲିସ ବୁଧବାର ନିଜକୁ ଆଇଏଏସ ଅଧିକାରୀର ପରିଚୟ ଦେଇ କରୋନା ଟିକାକରଣ ଶିବି ଆୟୋଜନ କରିବା ଅଭିଯୋଗରେ ୨୮ ବର୍ଷୀୟ ଦେବକୁ ଗିରଫ କରିଛନ୍ତି। ମାମଲାର ତଦନ୍ତ ପାଇଁ ଯୁଗ୍ମ ପୋଲିସ କମିସନରଙ୍କ ନେତୃତ୍ଵରେ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏସଆଇଟି ଘଟଣାର ତଦନ୍ତ କରିବ ଯେ, ମୁଖ୍ୟ ଅଭିଯୁକ୍ତ କେମିତି ଟିକାକରଣ ଶିବିର ଆୟୋଜନ କଲେ। ଏହି ଶିବିରରେ ପ୍ରାୟ ୨୦୦୦ ଲୋକ ନକଟି ଟିକା ନେଇଥିବା ସନ୍ଦେହ କରାଯାଉଛି। ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ସାଂସଦ ମିଲି ଚକ୍ରବର୍ତ୍ତୀ ମଧ୍ୟ ସେହି ମିଥ୍ୟା ଟିକାକରଣ ଶିବିରରେ ଟିକାର ପ୍ରଥମ ଡୋଜ୍ ନେଇଥିଲେ। ହେଲେ ତାଙ୍କ ପାଖକୁ ଟିକା ସଂପର୍କିତ କୌଣସି ଏସଏମଏସ ଆସିନଥିଲା, ଯେମିତି ଭ୍ୟାକ୍ସିନ ନେବା ପରେ ଲୋକଙ୍କ ପାଖକୁ ସରକାରଙ୍କ ପକ୍ଷରୁ ମୋବାଇଲକୁ ଏସଏମଏସ ଯାଏ। ଏଠାରୁ ହିଁ ଫେକ୍ ଭ୍ୟାକ୍ସିନେସନ ଡ୍ରାଇଭର ସନ୍ଦେହ ଘନୀଭୂତ ହୋଇଥିଲା।