ଟିକା ନେବେ ସାଧୁସନ୍ଥ ଓ ଭିକାରୀ

ଭୁବନେଶ୍ୱର : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ବଢୁଛି ବିପଦ । ତେବେ ରାଜ୍ୟରେ ବ୍ୟାପିଥିବା ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ବିଭିନ୍ନ ପର୍ଯ୍ୟାୟରେ କରୋନା ଟିକା ଦିଆଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ସାଧୁସନ୍ଥ, ଅସହାୟ, ଭିକାରୀ, କଏଦୀ, ବୃଦ୍ଧାବୃଦ୍ଧ ଓ ମାନସିକ ବିକୃତ ଲୋକଙ୍କୁ ଦିଆଯିବ କରୋନା ଟିକା । ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିଚୟ ପତ୍ର ନଥିଲେ ବି ଏମାନେ ସ୍ୱତନ୍ତ୍ର ଟିକା ଅଭିଯାନରେ ସାମିଲ ହୋଇପାରିବେ । କୋ-ୱିନ ପୋର୍ଟାଲରେ ହେବ ସ୍ୱତନ୍ତ୍ର ଅଧିବେଶନ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ।
ସୂଚନା ମୁତବକ ବର୍ତ୍ତମାନ ଟିକା ନେବା ପାଇଁ କୋ-ୱିନ ପୋର୍ଟାଲରେ ରେଜିଷ୍ଟର କରିବାକୁ ପଡୁଛି । ଆଉ ଟିକାକରଣ ପାଇଁ ଯେ କୌଣସି ପ୍ରମାଣପତ୍ର ଦେଖାଇବାକୁ ପଡୁଛି । ତେବେ ରାଜ୍ୟରେ ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ଏମାନଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଟିକା ପାଇଁ ୭ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡ଼ୁଛି । ସାଧୁସନ୍ଥ ଓ ଭିକାରୀଙ୍କ ଭଳି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଖରେ ଏସବୁ କିଛି ନାହିଁ । ସେମାନଙ୍କୁ ବି ସଂକ୍ରମଣ ଭୟ ରହୁଛି । ସେମାନଙ୍କୁ ଟିକାକରଣ କରଯାଉ ବୋଲି ଏସିଏସ କହିଛନ୍ତି ।