୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର
- ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୈନିକ ଟେଷ୍ଟିଂ ବଢାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟର ୧୬ ଜିଲ୍ଲାର ଜିଲ୍ଲାମୁଖ୍ୟାଳୟରେ ଆରଟିପିସିଆର ଟେଷ୍ଟିଂ ଲାବ୍ରୋଟୋରୀ ଖୋଲିବାକୁ ସରକାର ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଭଦ୍ରକ, ବୌଦ୍ଧ , ବରଗଡ,ଢେଙ୍କାନାଳ , ଗଜପତି, ଜଗତସିଂହପୁର, ଯାଜପୁର, କନ୍ଧମାଳ , କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୂଆପଡା , ସୁବର୍ଣ୍ଣପୁର.ରାୟଗଡାଓ ସୁନ୍ଦରଗଡ । ରାୟଗଡା ଜିଲ୍ଲାରେ ଏହି ଲାବ୍ରୋଟୋରୀ ପାଇଁ ଓଏସଏମସିଏଲ୍ ମେସିନ୍ ଅର୍ଡର କରିସାରିଥିବା ବେଳେ ଅନ୍ୟାନ୍ୟ ଯନ୍ତ୍ରାଂଶ ଯୋଡାଯିବ ।ଏସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟେକ ସ୍ଥାନରେ ଆରଟିପିସିଆର ଲାବ୍ରୋଟୋରୀ ସହ ବାୟୋସେଫ୍ଟି କ୍ୟାବିନେଟ୍ ବ୍ୟବସ୍ଥା କରିବାପାଇଁ ପ୍ରାୟ ୧୨୦ ଲକ୍ଷ ବ୍ୟୟ କରାଯିବ । ପ୍ରତ୍ୟେକ ଲାବ୍ରୋଟାରୀ ରେ ଜଣେ ମାଇକ୍ରୋବାୟେଲୋଜିଷ୍ଟ ଓ ୩ ଜଣ ଲାବ୍ରୋଟୋରୀ ଟେକ୍ନିସିଆନ୍ ଙ୍କୁ ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ଦିଆଯିବ। ଏହି ଟେଷ୍ଟିଂ ସେଂଟର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ ।