ତିନିକୋଶିଆ ଜଙ୍ଗଲରେ ଡକାୟତି ! ଲୁଟ୍ କରି ଚମ୍ପଟ ବେଳେ ଧରାପଡ଼ିଲେ ୩, ୨ ଫେରାର୍
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି, ଛିନ୍ତାଇ ଓ ଡକାୟତି । ଅଣନିଶ୍ୱାସୀ ହୋଇପଡ଼ିଲେଣି ଅଞ୍ଚଳବାସୀ । ଅସୁରକ୍ଷିତ ମଣୁଛନ୍ତି ପଥଚାରୀ । ଏହି ପରିପ୍ରେକ୍ଷୀରେ ଗତ ଗୁରୁବାର ମଧ୍ୟରାତ୍ରରେ ୫ ଜଣ ଯୁବକ ଛେଳି ଓ ମୋବାଇଲ ଚୋରୀ କରି ଫେରିବା ବେଳେ ନୀଳଗିରି ଆର୍କେସିଟି କଲେଜ ପାଖରେ ଧରାପଡ଼ି ଛେଚା ଖାଇଲେ ୩ ଯୁବକ । ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ୩ଜଣଙ୍କୁ ଗିରଫ କରିଥିବା ସହ ଏକ ବୋଲେରୋ, ଭୁଜାଲି, ଖଣ୍ଡା ଆଦି ଜବଦ କରିଛି ।
ସୂଚନା ଯେ, ଗତ ଗୁରୁବାର ମଧ୍ୟରାତ୍ରରେ ଉଦଳା ଆଡୁ ଏକ ବୋଲେରୋ (ନଂ. ଓଡ଼ି୦୧ଏଏଚ୍ ୬୭୪୦) ଗାଡ଼ିରେ ୫ ଜଣ ଯୁବକ ୫ଟି ଛେଳି ଚୋରି କରି ଆସୁଥିଲେ । ସଜନାଗଡ଼ ପଞ୍ଚାୟତ ଭାଲୁକାଶୁଣି ଛକ ନିକଟ ଜଙ୍ଗଲରେ ଦୁଇ ବାଇକରେ ଉଦଳାରୁ ନୀଳଗିରି ଅଭିମୁଖେ ଭଦ୍ରକ ଥାନା ଅଧୀନ ନଳାଙ୍ଗ ଗ୍ରାମର ସୁବାସ ଚନ୍ଦ୍ର ପାଣି ଓ ନିଜ ଭଉଣୀ ବିଜୟଲକ୍ଷ୍ମୀ ଦାସ ଓ ଦୁଇ ସମ୍ପର୍କୀୟ ଫେରୁଥିବା ବେଳେ ଦୁର୍ବୃତ୍ତ ମାନେ ଅଟକାଇ ମାରାଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଭେନିଟି ବ୍ୟାଗରେ ଥିବା ନଗଦ ୧୨ ହଜାର ଟଙ୍କା, ସୁନା, ରୂପା, ଅଳଙ୍କାର ଓ ମୋବାଇଲ ଛଡ଼ାଇ ନୀଳଗିରି ଆଡ଼କୁ ପଳାଇଥିଲେ । ପରେ ଅନ୍ୟ ଏକ ଗାଡ଼ିକୁ ଅଟକାଇ ଡ୍ରାଇଭରକୁ ସମସ୍ତ ଘଟଣା କଥା କହିଥିଲେ । ଉକ୍ତ ଡ୍ରାଇଭର ଜଣକ ଉପଯୁକ୍ତ ବୁଦ୍ଧି ଖଟାଇ ତାର ସମ୍ପର୍କୀୟଙ୍କୁ ଜଣାଇ ଥିଲେ । ସେ ଫୋନ କରିଦେବାରୁ ଘାଟଘରସାହି ଆରକେସିଟି କଲେଜ ପାଖରେ ବୋଲୋରେ ଗାଡ଼ି ସହ ଦୁର୍ବୃତ୍ତମାନଙ୍କୁ ଅଞ୍ଚଳବାସୀ ଅଟକାଇ ଥିଲେ । ମାରଣାସ୍ତ୍ର ଦେଖାଇ ୨ଜଣ ଯୁବକ ଖସି ଯାଇଥିବା ବେଳେ ୩ ଜଣଙ୍କୁ ଅଟକ ରଖିଥିଲେ । ଏକ ଖୁଣ୍ଟିରେ ବାନ୍ଧିବା ପରେ ପୋଲିସକୁ ଖବର ଦେଇଥିଲେ । ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ୩ ଜଣ ଚୋରଙ୍କୁ ଉଦ୍ଧାର କରି ଗାଡ଼ିଟିକୁ ଜବତ କରିଛନ୍ତି । ଗିରଫ ୩ଜଣ ଯୁବକ ହେଲେ ବାଲେଶ୍ୱର ମଠସାହି ଅଞ୍ଚଳର ଅଜୟ କୁମାର ଦାସ (୨୩), ସାହାଦ୍ଧା ସଇପୁର ଗ୍ରାମର ତପନ ସାହୁ (୧୯) ଓ ସତ୍ୟଜିତ ବାରିକ (୧୯) ବୋଲି ଜଣାପଡ଼ିଛି । ଏନେଇ ସୁବାସ ଚନ୍ଦ୍ର ପାଣି ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ନୀଳଗିରି ପୋଲିସ ପକ୍ଷରୁ ବ୍ୟାପକ ପ୍ୟାଟ୍ରୋଲିଂ ପାଇଁ ସାଧାରଣରେ ଦାବୀ ହେଉଛି ।