ଜହ୍ନି ମଲାଇ କରି

ସାମଗ୍ରୀ:
ବଡ ଜହ୍ନି ୨ଟା, ମଧ୍ୟମ ଆକାରର ପିଆଜ ୧ଟା, ରସୁଣ ୨ ପାଖୁଡା, କଞ୍ଚା ଲଙ୍କା ୨ଟା, ଭୁର୍ସୁଙ୍ଗ ପତ୍ର ଅଳ୍ପ, ଚିଲି ଫ୍ଲେକ୍ସ ୧ ଚାମଚ, ହଳଦୀ ଗୁଣ୍ଡ ୧ ଚାମଚ, ଗାଢ ନଡିଆ ରସ ଅଧ କପ୍, ତେଲ ୧ ଟେବଲ ଚାମଚ, ଲୁଣ ସ୍ୱାଦ ଅନୁସାରେ ।
ପ୍ରସ୍ତୁତି:
ଜହ୍ନିରୁ ଚୋପା ଛଡାଇ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ । ଏହାପରେ କଡେଇରେ ତେଲ ଗରମ କରି ସେଥିରେ ରସୁଣ ଛେଚା ପକାନ୍ତୁ । ବାସ୍ନା ଆସିଲେ ସେଥିରେ କଟା ପିଆଜ, କଞ୍ଚାଲଙ୍କା ଏବଂ ଭୁର୍ସୁଙ୍ଗ ପତ୍ର ପକାଇ ଭାଜନ୍ତୁ । ପିଆଜର ରଙ୍ଗ ବଦଳି ଆସିଲେ ସେଥିରେ ଚିଲି ଫ୍ଲେକ୍ସ ଏବଂ ହଳଦୀ ମିଶାନ୍ତୁ । ଏଥର ସେଥିରେ କଟା ଜହ୍ନି ଓ ଲୁଣ ମିଶାଇ ଭଲ କରି ଏପଟ ସେପଟ କରନ୍ତୁ । ଢାଙ୍କୁଣି ଦେଇ ମଧ୍ୟମ ଆଞ୍ଚରେ ସିଝିବାକୁ ଦିଅନ୍ତୁ । ଏଥିରେ ପାଣି ମିଶାଇବେ ନାହିଁ । ଆପେ ଆପେ ଜହ୍ନିରୁ ପାଣି ବାହାରିବ । ଜହ୍ନିରୁ ପାଣି ମରି ଆସିଲେ ନଡିଆ ରସ ମିଶାଇ ଭଲ କରି ଘାଣ୍ଟନ୍ତୁ । ଏହାପରେ ଆଞ୍ଚ ବନ୍ଦ କରନ୍ତୁ । ପ୍ରସ୍ତୁତ ହୋଇଗଲା ଜହ୍ନି ମଲାଇ କରି ।