ଅମରନାଥ ଯାତ୍ରାକୁ ସୁରକ୍ଷା ପ୍ରସଙ୍ଗର ସମୀକ୍ଷା

- ଆତଙ୍କବାଦୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଲେ ଗୃହ ମନ୍ତ୍ରୀ
ନୂଆଦିଲ୍ଲୀ : ଅମରନାଥ ଯାତ୍ରାର ସୁରକ୍ଷା ପ୍ରସଙ୍ଗର ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏହି ବୈଠକରେ ଆତଙ୍କବାଦୀ ସଂଗଠନରେ ନୂତନ ନିଯୁକ୍ତି ବନ୍ଦ କରିବା, ରାଜନୈତିକ ବ୍ୟକ୍ତିଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଆତଙ୍କବାଦୀଙ୍କ ସମର୍ଥକ ଓ ଆତଙ୍କବାଦୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ବା ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଅମରନାଥ ଯାତ୍ରା କେବେ ଆରମ୍ଭ ହେବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଅମରନାଥ ଯାତ୍ରାକୁ କିଭଳି ସୁରୁଖୁରୁରେ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଅରବିନ୍ଦ କୁମାର, ର ମୁଖ୍ୟ ସାମନ୍ତ କୁମାର ଗୋଏଲ, ସିଆରପିଏଫ ମହାନିର୍ଦ୍ଦେଶକ କୁଲଦୀପ ସିଂ ଏବଂ ଜାମ୍ମୁ କାଶ୍ମୀର ପୁଲିସର ମହାନିର୍ଦ୍ଦେଶକ ଦିଲବାଗ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଜାମ୍ମୁ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା, ନିକଟରେ ହୋଇଥିବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀ ହିଂସା ବିଷୟରେ ଆଲୋଚନା କରାଯାଇଥିଲା। ସୀମାରେ ନିଶା କାରବାର ତଥା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ଡ୍ରୋନ୍ ବ୍ୟବହାର ବିରୋଧରେ ଗ୍ରହଣ କରାଯାଉଥିବା ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମୟରେ ସୀମା ଅଞ୍ଚଳରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ପାଇଁ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ଉପଲବ୍ଧ କରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।