ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୯୯.୩୭ % ଛାତ୍ରଛାତ୍ରୀ ପାସ୍

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଅପରାହ୍ନ ୨ ଟାରେ ଦ୍ୱାଦଶ ବୋର୍ଡ ଫଳାଫଳ ପ୍ରକାଶ କରିଛି। ପରୀକ୍ଷା ପାଇଁ ପଞ୍ଜୀକୃତ ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ମୋଟ୍ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ । ସେହିପରି ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି । ବୋର୍ଡ ଦେଇଥିବା ମାନଦଣ୍ଡ ଅନୁଯାୟୀ, ଚଳିତ ବର୍ଷ ଦ୍ୱାଦଶ ଫଳାଫଳ ୩୦:୩୦:୪୦ ଫର୍ମୁଲାରେ ସ୍ଥିର କରାଯାଇଛି। ମାର୍କିଂ ସ୍କିମ୍ ଅନୁଯାୟୀ, ଦଶମ ଏବଂ ଏକାଦଶ ଶ୍ରେଣୀରେ ୫ ଟି ମଧ୍ୟରୁ ଯେଉଁ ୩ ଟି ବିଷୟରେ ଛାତ୍ରଛାତ୍ରୀମାନେ ସର୍ବାଧିକ ସ୍କୋର କରିଛନ୍ତି ତାକୁ ଫଳାଫଳ ପ୍ରସ୍ତୁତ ପାଇଁ ଚୟନ କରାଯିବ। ଏଥି ସହିତ, ଦ୍ୱାଦଶ ଶ୍ରେଣୀର ୟୁନିଟ୍, ଟର୍ମ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଏହା ପ୍ରସ୍ତୁତ ହେବ। ସେହିପରି ସିବିଏସ୍ଇ ଦ୍ୱାରା ଗଠିତ ପ୍ୟାନେଲ୍ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ୩୦:୩୦:୪୦ ର ଫର୍ମୁଲା ସ୍ଥିର କରିଛି। ଏହି ଫର୍ମୁଲା ଅନୁଯାୟୀ ଦଶମ -ଏକାଦଶ ଫାଇନାଲ ଫଳାଫଳକୁ ୩୦% ଦିଆଯିବ ଏବଂ ଦ୍ୱାଦଶର ପ୍ରି-ବୋର୍ଡ ପରୀକ୍ଷାରେ ୪୦% ଦିଆଯିବ। ସିବିଏସ୍ଇ ଜୁନ୍ ୪ ରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମାର୍କିଂ ସ୍କିମ୍ ସ୍ଥିର କରିବାକୁ ଏକ ୧୩ ଜଣିଆ କମିଟି ଗଠନ କରିଥିଲା।
ମହାମାରୀ କରୋନାର ଦ୍ୱିତୀୟ ଲହର ପ୍ରଭାବ ହେତୁ ଚଳିତବର୍ଷ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିବାରୁ ସିବିଏସ୍ଇ ଦ୍ୱାଦଶ ଫଳାଫଳ ଏକ ବିକଳ୍ପ ଉପାୟରେ ପ୍ରସ୍ତୁତ କରାଯାଇଛି । ଉକ୍ତ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଆଜି ପିଲାମାନଙ୍କ ମାର୍କ ପ୍ରକାଶ ପାଇଛି । ପିଲାମାନଙ୍କ ରେଜଲ୍ଟ ଅନଲାଇନ୍ ରେ ଉପଲବ୍ଧ ହେବାକୁ ଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । ତେଣୁ ଅନଲାଇନ୍ ରେ କ୍ରାଉଡ କମ୍ କରିବା ପାଇଁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ସିବିଏସ୍ଇ ରେଜଲ୍ଟ ଉପଳବ୍ଧ ହେବ । ସୂଚନା ଯେ, ଫଳାଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ।