୨୨ର ଫଳାଫଳ, ୨୪ ପାଇଁ ସଙ୍କେତ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଉତରପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ୪ ରାଜ୍ୟରେ ପୁଣି ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ସବୁଠାରୁ ଚର୍ଚ୍ଚିତ ରାଜ୍ୟ ଉତରପ୍ରଦେଶରେ ପୁଣି ବିଜୟ ବାନା ଉଡାଇଛି ବିଜେପି । ପୂର୍ଣ୍ଣ ବହୁମତ ସହ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ ।
ବିଜେପିର ବିଜୟ ଅବସରରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ କର୍ମକର୍ତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଯୁବ ଭୋଟର ବିଜେପିର ବିଜୟ ପଥକୁ ସୁନିଶ୍ଚିତ କରିଛନ୍ତି । ମାର୍ଚ୍ଚ ୧୦ରେ ବିଜେପିର ହୋଲି ଖେଳିବାର ସ୍ୱପ୍ନ ସାକାର ହୋଇଛି । ୪ ରାଜ୍ୟରେ ଦଳର ନୀତି ଆଦର୍ଶକୁ ମିଳିଛି ସମର୍ଥନ । ପୁଣି ବିଜେପିକୁ ଜନତା ଆଶୀର୍ବାଦ କରିଛନ୍ତି । ଉତରାଖଣ୍ଡରେ ଇତିହାସ ରଚିଛି ବିଜେପି । ୟୁପିରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।
୪ଟି ରାଜ୍ୟରେ ବିଜେପିର ବିଜୟ ପରେ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଜିତିବା ପରେ ରାଜନୈତିକ ସମୀକ୍ଷକମାନେ କହିଥିଲେ ଯେ ଏହି ଫଳାଫଳ ତ ୨୦୧୭ରେ ବିଜେପି ଉତରପ୍ରଦେଶ ନିର୍ବାଚନ ଜିତିବା ପରେ ସ୍ଥିର ହୋଇଯାଇଥିଲା । ଏଣୁ ୨୦୨୨ରେ ଉତରପ୍ରଦେଶ ଜିତିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ମୋଦୀ କହିଛନ୍ତି । ସେ କହିଛନ୍ତି ଯେ ଉତରପ୍ରଦେଶରେ ଜାତିଭିତିକ ରାଜନୀତି ହୁଏ ବୋଲି ରାଜନୈତିକ ପଣ୍ଡିତମାନେ କୁହନ୍ତି । କିନ୍ତୁ ଉତରପ୍ରଦେଶ ଲୋକମାନେ ଏହାକୁ ଭୁଲ ପ୍ରମାଣିତ କରି ବିକାଶକୁ ଭୋଟ ଦେଇଛନ୍ତି । ରାଜ୍ୟବାସୀ ଜାତିବାଦୀ ରାଜନୀତିକୁ ଖାରଜ କରିଦେଇଛନ୍ତି । ପରିବାରବାଦ ରାଜନୀତି ଦେଶକୁ ପଛକୁ ନେଇଯାଉଛି । କିନ୍ତୁ ଦେଶରେ ଏପରି ଏକ ଦିନ ଆସିବ ଯେବେ ଦେଶର ମତଦାତାମାନେ ପରିବାରବାଦ ରାଜନୀତିକୁ ବିଲୁପ୍ତ କରିଦେବେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନିର୍ବାଚନ ଏପରି ସମୟରେ ହୋଇଥିଲା ଯେଉଁ ସମୟରେ ବିଶ୍ୱ କରୋନା ସଂକଟ ଦେଇ ଗତି କରୁଥିଲା । ଏହା ସହିତ ବିଶ୍ୱରେ ଏକ ଯୁଦ୍ଧର ଘନଘଟା ଆରମ୍ଭ ହୋଇଯାଇଥିଲା । ଏପରି କଠିନ ପରିସ୍ଥିତିରେ ମତଦାତାମାନେ ବିକାଶ ଓ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ଏହି ବିଜୟ ପାଇଁ ସେ ଦଳୀୟ କାର୍ଯ୍ୟକର୍ତା ଓ କର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ସରକାର ଦେଶରେ ବିକାଶର ଗାଡ଼ିକୁ ଆଗେଇ ନେବ ।