ବାଲେଶ୍ୱର : ଏଣିକି ଟ୍ରେନ୍ରେ ଆସୁଥିବା ବ୍ୟକ୍ତିଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ
ବାଲେଶ୍ୱର : ବିଶ୍ୱ ତଥା ଦେଶ ଓ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ମଧ୍ୟ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ବାଲେଶ୍ୱର ଜିଲା ପ୍ରଶାସନ ଏବେ ରାଜ୍ୟ ସରକାର ସଙ୍ଗରୋଧ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ପୁର୍ବରୁ ଅଧିକ ବିପଦଯୁକ୍ତ ଦୁଇଗୁଣ ଓ ତିନିଗୁଣ କ୍ଷମତା ବିଶିଷ୍ଟ କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରରୁ ଆସିଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲେ । କୋଭିଡ ପରୀକ୍ଷା ପ୍ରମାଣପତ୍ର ସହ ସେହି ଦୁଇ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ୭ ଦିନ ଓ ପ୍ରମାଣପତ୍ର ନଥିବା ବ୍ୟକ୍ତିଙ୍କୁ ୧୪ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବା ପାଇଁ ସରକାର ନିୟମ କରିଥିଲେ । ମାତ୍ର ଟ୍ରେନରେ ଆସୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସେଭଳି ନିୟମ କଡ଼ାକଡ଼ି କରାଯାଉ ନଥିଲା । ଟ୍ରେନରେ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ଷ୍ଟେସନରେ କେବଳ ଆଣ୍ଟିଜେନ ପରୀକ୍ଷା କରାଯାଇ ପଜିଟିଭ ଥିବା ବ୍ୟକ୍ତିଙ୍କ ସମେତ ଅନ୍ୟମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଥିଲା ।
ତେବେ ଚଳିତ ମେ ମାସରେ ଜିଲାରେ ବଢ଼ୁଥିବା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟ୍ରେନ ଯୋଗେ ବାହାର ରାଜ୍ୟରୁ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଦର ଅତିରକ୍ତ ତହସିଲଦାର ଅତନୁ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ବାଲେଶ୍ୱର ରେଳ ଷ୍ଟେସନରେ ଉପସ୍ଥିତ ରହି ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା ଜାରି ରଖିଥିବା ଦେଖିବାକୁ ମିଳିଛି । ଏହି ଟିମରେ ବାଲେଶ୍ୱର ତହସିଲ, ବ୍ଲକ ଓ ପୌରପାଳିକାର କର୍ମଚାରୀଙ୍କ ସମେତ ୬ ଜଣ ଶିକ୍ଷକ ଓ ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ପ୍ରବାସୀମାନେ ଷ୍ଟେସନରେ ଆସି ପହଞ୍ଚିବା ପରେ ସେମାନଙ୍କୁ ପ୍ରାଥମିକ ପରୀକ୍ଷା ସହ କାହାକୁ ସଙ୍ଗରୋଧକୁ ପଠାଯିବ ଏହି ଟିମ ସ୍ଥିର କରୁଛି । ପ୍ରଥମ ଲହର ଭଳି ସମ୍ପୃକ୍ତ ପ୍ରବାସୀଙ୍କୁ ବସ ଯୋଗେ ନିର୍ଦ୍ଧାରିତ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଉଛି । ଏନେଇ ବାଲେଶ୍ୱର ସହରର ଗଙ୍ଗାଧର କଲ୍ୟାଣ ମଣ୍ଡପ ଓ ରସାଳପୁରର ଯଦୁନାଥ ମହାବିଦ୍ୟାଳୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ସମସ୍ତଙ୍କୁ ୧୪ ଦିନ ପାଇଁ ଏହି କେନ୍ଦ୍ରରେ ରଖାଯାଉଛି । ଏହି ୧୪ ଦିନ ମଧ୍ୟରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ଦେଖାଗଲେ ସେମାନଙ୍କୁ ତୁରନ୍ତ କରୋନା ତନ୍ମକେନ୍ଦ୍ର କିମ୍ବା କୋଭିଡ ହସପିଟାଲକୁ ପଠାଯିବାକୁ ବ୍ୟବସ୍ଥା କରାଯିବ ବୋଲି ସଦର ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।