ଆଜି ଅପରାହ୍ନ ୪ଟାରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ପାଇଁ ‘କୋ-ଓ୍ଵିନ୍’ରେ ପଞ୍ଜିକରଣ

ନୂଆଦିଲ୍ଲୀ: ଆସନ୍ତା ମେ ପହିଲାରୁ ୧୮ ବର୍ଷରୁ ଆରମ୍ଭ କରି ଅଧିକ ବୟସବର୍ଗର ଲୋକମାନଙ୍କ ନିମନ୍ତେ କୋଭିଡ୍-୧୯ ଟିକାକରଣ ଆଜି ଅପରାହ୍ନ ୪ଟାରେ ‘କୋ-ଓ୍ଵିନ୍’ ପଞ୍ଜିକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଛନ୍ତି। ୨୮ ଏପ୍ରିଲ୍ରେ ଏହି ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ସଂକ୍ରାନ୍ତରେ ସୂଚନା ଦେଇ ନ ଥିଲେ। ତେଣୁ, ପଞ୍ଜିକରଣ କରାଇବା ପାଇଁ ରାତି ୧୨ଟାରୁ ଲୋକେ ଉଦ୍ୟମ କରି ବିଫଳ ହେବା ପରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ଆରୋଗ୍ୟ ସେତୁର ଅଫିସିଆଲ୍ ଆକାଉଣ୍ଟ୍ରୁ ଜଣାପଡ଼ିଛି, ଏପ୍ରିଲ୍ ୨୮ ତାରିଖ ଅପରାହ୍ନ ୪ଟା ବେଳେ ‘ଆରୋଗ୍ୟ ସେତୁ ଆପ୍’ ଏବଂ ‘ଉମଙ୍ଗ୍ ଆପ୍’ ମାଧ୍ୟମରେ http://cowin.gov.inରେ ୧୮ ବର୍ଷରୁ ଅଧିକ ବୟସବର୍ଗଙ୍କ ନିମନ୍ତେ ପଞ୍ଜିକରଣ ଆରମ୍ଭ ହେବ। ମେ ପହିଲାରେ ଆରମ୍ଭ ହେଉଥିବା ଏହି ଟିକାକରଣ ନିମନ୍ତେ କେତେ ଟିକାକରଣ କେନ୍ଦ୍ର ପ୍ରସ୍ତୁତ ରହିଛି ଏବଂ ଟିକା ନେବା ପାଇଁ କେବେ ସୁବିଧା ମିଳିବ ତାହା ରାଜ୍ୟ ସରକାରଙ୍କ କେନ୍ଦ୍ର ଏବଂ ଘରୋଇ କେନ୍ଦ୍ରମାନଙ୍କ ଉପରେ ନିର୍ଭର କରେ।
ଏଥିପାଇଁ କୋଓ୍ୱିନ୍ ପୋର୍ଟାଲ୍ କିମ୍ବା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ପଞ୍ଜୀକରଣ କରାଯାଇପାରିବ । କୋ-ଓ୍ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ନିମନ୍ତେ ପ୍ରଥମେ cowin.gov.inକୁ ଯାଆନ୍ତୁ । ସେଠାରେ ରେଜିଷ୍ଟର୍ ବଟନ୍ରେ କ୍ଲିକ୍ କରି ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ । ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନ୍ରେ କ୍ଲିକ୍ କରନ୍ତୁ। ଏହାପରେ ଟିକା ପଞ୍ଜିକରଣ ପାଇଁ ଫର୍ମ ଆସିବ । ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ । ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ସୂଚନା ଦିଅନ୍ତୁ। ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନ୍ରେ କ୍ଲିକ୍ କରନ୍ତୁ । ଏଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ । ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜିକରଣ କରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନ୍ରେ କ୍ଲିକ୍ କରନ୍ତୁ। ଟିକା ନେବା ପାଇଁ ପଞ୍ଜୀକରଣ ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ କିନ୍ତୁ ସ୍ଲଟ୍ ମିଳିବ ନାହିଁ । ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ । ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।